ନୟାଗଡ଼, (ବାଘୁଆବାର୍ତ୍ତା): ପୂର୍ବତନ ତହସିଲଦାରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଜମିର କିସମ ପରିବର୍ତ୍ତନ ନେଇ ତହସିଲଦାରଙ୍କ ନାମରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତି କରି ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ତଦନ୍ତ ରିପୋର୍ଟକୁ ଭିତି କରି ତହସିଦାରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଏନେଇ ରାଜସ୍ୱ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଭଳି ନିର୍ଦ୍ଦେଶନାମା ଆସିଛି ନୟାଗଡ଼ ଜିଲ୍ଲା ନୂଆଗାଁ ତହସିଲଦାର ଶରତ କୁମାର ମଲ୍ଲିକ୍ଙ୍କ ନାମରେ । ତହସିଲଦାର ଶ୍ରୀ ମଲ୍ଲିକ୍ ନୟାଗଡ଼ ଜିଲ୍ଲା ଛାଡ଼ି ଅନ୍ୟତ୍ର ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି । ରାଜ୍ୟ ସେବା କୋର୍ଡର ନିୟମ-୯୦ ଅନୁଯାୟୀ ଭରଣପୋଷଣ ଭତ୍ତା ପାଇପାରିବେ । ସୁଚନାନୁସାରେ, ନୟାଗଡ଼ ଜିଲ୍ଲା ନୂଆଗାଁ ତହସିଲ ଅଞ୍ଚଳରେ ମେସର୍ସ ଗୁପ୍ତା ପାୱାର ଇନଫ୍ରାଷ୍ଟର୍ରକୁ ଅନୁକମ୍ପା ଦେଖାଇବାକୁ ଯାଇ ଚଳିବ ବର୍ଷ ଜାନୁଆରୀ ମାସରେ ୯୪ ଏକର ଚାଷ ଜମିକୁ ଘରବାଡ଼ିକୁ କିସମ ପରିବର୍ତ୍ତନ କରିଥିଲେ । ସବୁତକ କିସମ ଜମିର ଗୋଟିଏ ମକଦ୍ଦମାରେ ପରିବର୍ତ୍ତନ କରିଥିଲେ । ଏନେଇ ସ୍ଥାନୀୟ ଅଞ୍ଚଳରେ ଜନସାଧାରଣ ଅଭିଯୋଗ କରିବା ପରେ ସରକାରଙ୍କ ପକ୍ଷରୁ ତଦନ୍ତ କରାଯାଇଥିଲା । ନୟାଗଡ଼ ଜିଲ୍ଲାପାଳ ଡ଼ ପୋମା ଟୁଡୁଙ୍କ ତଥ୍ୟ ଅନୁଯାୟୀ ନୂଆଗାଁର ଉକ୍ତ ଅଞ୍ଚଳରେ ରେଳବାଇ ପ୍ରକଳ୍ପ ଯାଉଛି । ଏଥିପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ଘୋଷଣା ମଧ୍ୟ ଶେଷ ହୋଇଛି । ହେଲେ ଶ୍ରୀ ମଲ୍ଲିକ୍ ଏହାକୁ ଅବମାନନା କରି ବେଆଇନ୍ କାର୍ଯ୍ୟ କରିଥିଲେ । ସରକାରଙ୍କ ନିୟମ-୨୦୧୩ ଅନୁଯାୟୀ ସମୂହ କିମ୍ବା ରାଷ୍ଟ୍ର ଉଦ୍ଦେଶ୍ୟରେ କୌଣସି କାର୍ଯ୍ୟ ପାଇଁ ଜମିର ଆବଶ୍ୟକତା ଥିବା ବେଳେ ସେତେବେଳେ ଉକ୍ତ ଅଞ୍ଚଳର କୌଣସି ଜମିର ପରିବର୍ତ୍ତନ କରାଯିବା କଥା ନୁହେଁ । ତତ୍ ସହିତ ସରକାରଙ୍କ ରାଜସ୍ୱ କ୍ଷତି ହେବା ଭଳି କୌଣସି କାର୍ଯ୍ୟ କରାଯିବା କଥା ନୁହେଁ । ମାତ୍ର ଶ୍ରୀ ମଲ୍ଲିକ୍ ମେସର୍ସ ଗୁପ୍ତା ପାୱାର ଇନଫ୍ରାଷ୍ଟର୍ର ସଂସ୍ଥାକୁ ଅନୁକମ୍ପା ଦେଖାଇ ଜମିର କିସମ ପରିବର୍ତ୍ତନ କରିଥିଲେ ।






