ନୟାଗଡ଼, (ବାଘୁଆବାର୍ତ୍ତା): ଦେଶରେ ପ୍ରତିଦିନ କରୋନା ସ୍ଥିତି ଭୟାବହ ହେବାରେ ଲାଗିଛି । ପ୍ରତିଦିନ ତିନି ଲକ୍ଷରୁ ଅଧିକ ନୂଆ କରୋନା ମାମଲା ଏବେ ଆସୁଛି । ଏଭଳି ପରିସ୍ଥିତିରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେତୁ ଡାକ୍ତରଖାନାରେ ଶଯ୍ୟା ଅଭାବ ଦେଖାଦେଇଛି । ଅନ୍ୟପକ୍ଷରେ ଗୁରୁତର ରୋଗୀମାନେ ଅକ୍ସିଜେନ ପାଇପାରୁ ନାହାଁନ୍ତି । ଡାକ୍ତରଖାନା ଗୁଡ଼ିକରେ ଅମ୍ଳଜାନର ଘୋର ଅଭାବ ରହିଛି । ବିଶେଷକରି ଦିଲ୍ଲୀରେ ବହୁ ସଂଖ୍ୟକ କୋଭିଡ ରୋଗୀ ଅଛନ୍ତି କିନ୍ତୁ ଅମ୍ଳଜାନ ନାହିଁ । ଏଭଳି ପରିସ୍ଥିତିରେ ସାହାଯ୍ୟ କରିବାକୁ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ଆଗେଇ ଆସିଛନ୍ତି । ଏହାକୁ ନେଇ ସୁସ୍ମିତା ସେନ ଏକ ପୋଷ୍ଟ ସେୟାର କରିଛନ୍ତି । ଦିଲ୍ଲୀର ଏକ ହସ୍ପିଟାଲରେ ସିଇଓ ସୁନୀଲ ସାଗର କହିଛନ୍ତି ଯେ, ଅକ୍ସିଜେନର ଘୋର ଅଭାବ ହେବାକୁ ଲାଗିଛି । ଏହି କାରଣରୁ ରୋଗୀମାନଙ୍କୁ ଡିସଚାର୍ଜ ହେବାକୁ ବାଧ୍ୟ କରାଯାଉଛି । କରୋନା ଯୋଗୁଁ ଲକ୍ଷଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସରକାର ଚେଷ୍ଟା ଜାରି ରଖିଛନ୍ତି । ଫଟୋ ସେୟାର କର ସୁସ୍ମିତା ଲେଖିଛନ୍ତି, ‘ଏହା ଅତ୍ୟନ୍ତ ହୃଦୟ ବିଦାରକ କଥା । ସବୁ ସ୍ଥାନରେ ଅମ୍ଳଜାନର ଅଭାବ ଅଛି । ମୁଁ ଦିଲ୍ଲୀର ଏକ ଡାକ୍ତରଖାନା ପାଇଁ କିଛି ଅକ୍ସିଜେନ ସିଲିଣ୍ଡର ଯୋଗାଇବାକୁ ଚେଷ୍ଟା କରୁଛି, ମୁଁ ଏଠାରୁ ସେମାନଙ୍କ ପାଖକୁ ପଠାଇପାରୁନାହିଁ । ଦୟାକରି ଏକ ରାସ୍ତା ଖୋଜିବାରେ ମୋତେ ସାହାଯ୍ୟ କରନ୍ତୁ । ସୁସ୍ମିତାଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି । ଆଉ କିଛି ୟୁଜର୍ସ ସୁସ୍ମିତାଙ୍କ ପୋଷ୍ଟକୁ ଟ୍ରୋଲ କରୁଛନ୍ତି । ଜଣେ ୟୁଜସ ଲେଖିଛନ୍ତି, ‘ଅକ୍ସିଜେନର ଅଭାବ ପ୍ରତିଟି ସ୍ଥାନରେ ହେଉଛି, ତେବେ ଆପଣ ଏହି ସିଲିଣ୍ଡରକୁ ମୁମ୍ବାଇ ବଦଳରେ ଦିଲ୍ଲୀକୁ କାହିଁକି ପଠାଉଛନ୍ତି ।’ ୟୁଜରଙ୍କ ଟ୍ରୋଲରେ ସୁସ୍ମିତା ଜବାବ ଦେଇ ଲେଖିଛନ୍ତି କି, କାହିଁକି ନା ମୁମ୍ବାଇରେ ଅକ୍ସିଜେନ ଅଛି । ଦିଲ୍ଲୀରେ ନାହିଁ ଏବଂ ତାହା ବି ଛୋଟ ଛୋଟ ହସ୍ପିଟାଲରେ । ଯଦି ଆପଣ ବି ସାହାଯ୍ୟ କରିପାରିବେ ତାହେଲେ କରନ୍ତୁ ।





