ଭୁବନେଶ୍ୱର, (ବାଘୁଆବାର୍ତ୍ତା) : କୋଭିଡ-୧୯ ପରିସ୍ଥିତିରେ ଆଠଗଡ଼ ନିର୍ବାଚନ ମଣ୍ଡଳୀର ପାନୀୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥାର ଉନ୍ନତି କରିବା ଦିଗରେ ତତ୍ପରତା ପ୍ରକାଶ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁତ୍ୱ ଆରୋପ କରିଛନ୍ତି । ଲୋକ ସେବା ଭବନଠାରେ ଆୟୋଜିତ ବୈଠକରେ ଆଠଗଡ଼ ନିର୍ବାଚନ ମଣ୍ଡଳୀର ପାନୀୟ ଜଳ ଯୋଗାଣ ଓ ପରିମଳ ସମ୍ବନ୍ଧୀୟ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମୀକ୍ଷା କରିବା ସହିତ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଠଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଠଗଡ଼ ବ୍ଲକ୍ ଓ ତିଗିରିଆ ବ୍ଲକ୍ ସମେତ ଟାଙ୍ଗୀ ଚୌଦ୍ୱାର ବ୍ଲକ୍ର ୬ ପଞ୍ଚାୟତରେ ଚାଲୁ ରହିଥିବା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଲୋକମାନଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ମନ୍ତ୍ରୀ କହିଥିଲେ । ଯେଉଁସବୁ ସ୍ଥାନରେ ସୋଲାର ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ସେଗୁଡ଼ିକ ତୁରନ୍ତ ଶେଷ କରିବା ସହିତ ବୋରେୱଲ ଖନନ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ କହିଥିଲେ । ଏଥିସହିତ ପାନୀୟ ଜଳ ଯୋଗାଣ ଦିଗରେ ନିର୍ବାଚନ ମଣ୍ଡଳୀରୁ ବିଭିନ୍ନ ସମସ୍ୟା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା ଓ ସେଗୁଡ଼ିକର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ କହିଥିଲେ । ଏଥି ସହିତ ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀମାନେ ବିଭିନ୍ନ ପ୍ରକଳ୍ପଗୁଡ଼ିକର ନିୟମିତ ପରିଦର୍ଶନ କରି ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ । ବୈଠକରେ ପାନୀୟ ଜଳ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଅଭୟ କୁମାର ବିଶ୍ୱାଳଙ୍କ ସମେତ କଟକ ମଣ୍ଡଳର ଅଧୀକ୍ଷଣ ଯନ୍ତ୍ରୀ, କଟକ ଓ ଆଠଗଡ଼ ଡିଭିଜନର ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।





