ତିନିଜଣ ପଂଚାୟତ ନିର୍ବାହୀ ଅଧିକାରୀ ନିଲମ୍ବିତ
ଏତଲା ଦେବାକୁ ବିଡିଓଙ୍କୁ ନିର୍ଦ୍ଦେଶ
ନୟାଗଡ଼, (ବାଘୁଆବାର୍ତ୍ତା): ପୁଣି ଗଡ଼ିଲା ମୁଣ୍ଡ । ବାଘୁଆବାର୍ତ୍ତା କରିଥିବା ଅନୁମାନରୁ ଆଉ ଅଳ୍ପ ସଂଖ୍ୟକ ମୁଣ୍ଡ ଗଙ୍ଗ଼ିବା ବାକି ରହିଲା । ତାହା ମଧ୍ୟ ବେଶୀଦିନ ନୁହେଁ ବୋଲି ଆକଳନ କହୁଛି । ନୟାଗଡ଼ ଜିଲ୍ଲାରେ ଦୁର୍ନିତଗ୍ରସ୍ତ ଅଫିସରଙ୍କ ଉପରେ ପଡ଼ିଛି ମୋ ସରକାର ଏବଂ ୫ଟି ପାହାର । ଗୋଟିଏ ମାସରେ ଜିଲ୍ଲାରେ ଦଶରୁ ଉର୍ଦ୍ଧ ନିର୍ବାହୀ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି । ସୂଚନାନୁସାରେ, ଭାପୁର ବ୍ଲକ ଅନ୍ତର୍ଗତ ଗୋଳାପୋଖରୀ ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତା କରାଯାଇଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା । ପଂଚାୟତରେ ଥିଲା ବାଲାଙ୍କୁ କୋଡ଼ିଏ ହଜାର ଟଙ୍କାରେ ଆବାସ ଯୋଜନା ବିକ୍ରି କରାଯାଉଥିବା ନେଇ ଖବର ପ୍ରକାଶ ପାଇଥିଲା । ଏହି ଘଟଣାରେ ଆଜି ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଗୋଳାପୋଖରୀ ପଂଚାୟତ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ମଲ୍ଲିକଙ୍କୁ ନିଲମ୍ବନ କରିଛନ୍ତି । ସେହିଭଳି ସମାନ ଅଭିଯୋଗ ତଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତା ଅଭିଯୋଗ ନେଇ ରଣପୁର ବ୍ଲକର ଦୁଇ ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିବା ଜନାପଡ଼ିଛି । ସେମାନେ ହେଲେ କେରେଣ୍ଡାଟାଙ୍ଗି ପଂଚାୟତ ପଂଚାୟତ ନିର୍ବାହୀ ଅଧିକାରୀ ବିଜୟ କୁମାର ବେହେରା ଏବଂ ବ୍ରଜରାଜପୁର ପଂଚାୟତ ନିର୍ବାହୀ ଅଧିକାରୀ ସୁର୍ଯ୍ୟମଣୀ ସ୍ୱାଇଁ ବୋଲି ଜଣାପଡ଼ିଛି । ଏହି ତିନିଜଣଙ୍କ ନାମରେ ଏତଲା ଦେବାକୁ ଭାପୁର ବିଡିଓ ଏବଂ ରଣପୁର ବିଡିଓଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।





