କଟକ, (ବାଘୁଆବାର୍ତ୍ତା): ବାରବାଟୀରେ ପୋଲିସ ଡିଜି ସୁନୀଲ ବଂଶଲ। ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ଵେଣ୍ଟି ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିଛନ୍ତି। ଏହି ସମୟରେ ପୋଲିସ ଡିଜିଙ୍କ ସହ ଆଇନଶୃଙ୍ଖଳା ଏଡିଜି ଆର୍କେ ଶର୍ମା, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ କଟକ ଡିସିପି ପିନାକ ମିଶ୍ର ଉପସ୍ଥିତ ଥିଲେ। ବାରବାଟୀ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବା ସହ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପୋଲିସ ଡିଜି। ତେବେ ବରାବାଟୀ ସମୀକ୍ଷା ପରେ ପୋଲିସ ଡିଜି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଖେଳ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆବଶ୍ୟକ ଅନୁସାରେ ପୋଲିସ ଫୋର୍ସ ଓ ଅଫିସରଙ୍କୁ ମୁତୟନ କରାଯିବ। ସେଥିପାଇଁ ପୋଲିସ ମୁଖ୍ୟାଳୟ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଦର୍ଶକଙ୍କ ସୁରକ୍ଷା ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଛି। ଶୃଙ୍ଖଳିତ ଭାବେ ବସି ମ୍ୟାଚ ଦେଖିବାକୁ ଦର୍ଶକଙ୍କୁ ଡିଜିପି ପରାମର୍ଶ ଦେଇଛନ୍ତି। ସେହିପରି ବାରବାଟୀ ମ୍ୟାଚ ନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମ୍ୟାଚ ଦେଖିବାକୁ ଆସିବାର କାର୍ୟ୍ୟକ୍ରମ ରହିଛି। ତାଙ୍କ ସହ ଅନ୍ୟ ଭିଆଇପି ବ୍ୟକ୍ତିବିଶେଷ ମଧ୍ୟ ଆସିବେ। ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ସେମାନେ କେମିତି ଆସିବେ, କେଉଁଠି ବସିବେ ସେସବୁର ତଦାରଖ କଲେ ଜିଲ୍ଲାପାଳ।






