ବଲାଙ୍ଗିର, (ବାଘୁଆବାର୍ତ୍ତା): କାର୍ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟଣା ପରଠୁ ବିବାଦରେ ଥିବା ପୁଲିସ୍ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କୁ ସସ୍ପେଣ୍ଡ କରାଯାଇଛି । ସୁନ୍ଦରଗଡ଼ ଏସପିଙ୍କ ସୁପାରିଶ କ୍ରମେ ତାଙ୍କୁ ସସ୍ପେଣ୍ଡ କରିଛନ୍ତି ପୁଲିସ ଡିଜି । ତାଙ୍କ ନାମରେ ପୁର୍ବରୁ ମାମଲା କରାଯାଇଥିଲା । ଏଥି ସହିତ ସୋନପୁର ଏସପି ତାଙ୍କୁ ନୋଟିସ ଜାରି କରିଥିଲେ । ସୂଚନାଯୋଗ୍ୟ, ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଡ୍ୟୁଟି ସାରି ଗତ ମଙ୍ଗଳବାର ସ୍ନିଗ୍ଧାରାଣୀ ସୁନା ଓ ତାଙ୍କ ଡ୍ରାଇଭର ଅଜୟ ଜେଠୀ କାର ଯୋଗେ ପୁରୀରୁ ସୁନ୍ଦରଗଡ଼ ଫେରୁଥିଲେ। ସୋନପୁର-ବଲାଙ୍ଗୀର ୫୭ ନମ୍ୱର ଜାତୀୟ ରାଜପଥର ବଡ଼ବାହାଲି ଛକରେ ଛିଡ଼ା ହୋଇଥିବା ପରିବା ଏକ ବୋଝେଇ ଅଟୋ ଓ ବାଇକ୍କୁ ସେମାନଙ୍କ କାର୍ ଧକ୍କା ଦେଇଥିଲା। ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ଘଟାଇବା ପରେ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ଓ ତାଙ୍କ କାର୍ ଡ୍ରାଇଭର ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ। ପରେ ସେମାନେ ଧରାପଡ଼ିଥିଲେ।





