ନୟାଗଡ଼, (ବାଘୁଆବାର୍ତ୍ତା): ଓଡ଼ଗାଁ ଆଦର୍ଶ ଥାନା ଅଧିନ ଏନଏସି ଶିଳ୍ପୀନଗର ସାହିରେ ଫ୍ୟାନରେ ଲୁଗା ଲଗାଇ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଓଡ଼ଗାଁ ଏନଏସି ଶିଳ୍ପୀନଗର ସାହିର ସୁର୍ଯ୍ୟପ୍ରସାଦ ପଣ୍ଡା (୨୯) ମଙ୍ଗଳବାର ରାତିରେ ନିଜ ରୁମକୁ ଶୋଇବାକୁ ଯାଇ ଭିତର ପାଶ୍ୱରୁ କବାଟକୁ ଲକ କରିଦେଇଥିଲେ।ପରିବାର ଲୋକେ କବାଟ ବାଡେଇ ସୁର୍ଯ୍ୟଙ୍କୁ ଖାଇବାକୁ ଡାକିଲେ ମଧ୍ୟ ସେ କବାଟ ଖୋଲି ନ ଥିଲେ କି କୌଣସି ଉତ୍ତର ଦେଇ ନ ଥିଲେ।କିନ୍ତୁ ଆଜି ସକାଳ ସମୟରେ ମଧ୍ୟ କବାଟ ନ ଖୋଲିବାରୁ ପରିବାର ଲୋକେ ବାଧ୍ୟ ହୋଇ ସ୍କାଇ ଲାଇଟ ମାଧ୍ୟମରେ ସୁର୍ଯ୍ୟ ନିଜକୁ ଲୁଗା ମାଧ୍ୟମରେ ଫ୍ୟାନରେ ଟାଙ୍ଗି ଦେଇଥିବା ଦେଖିବାକୁ ପାଇଥିଲେ।
ପରେ ଏ ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ।ପୁଲିସ ଉପସ୍ଥିତିରେ କବାଟ ଭଙ୍ଗା ଯାଇ ସୁର୍ୟ୍ୟଙ୍କୁ ଉଦ୍ଧାର କରିବା ସହ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।ଏ ନେଇ ସୁର୍ଯ୍ୟଙ୍କ ଭଉଣୀ ଶିବାନୀ ପଣ୍ଡା ଓଡ଼ଗାଁ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ପୁଲିସ ଅଭିଯୋଗକୁ ଆଧାର କରି ୧୨/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆତ୍ମହତ୍ୟାର ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ ବୋଲି କହିଛି।





