ଚୌଦ୍ୱାର (ବାଘୁଆବାର୍ତ୍ତା): ଶୋଇବା ଘର ଭିତରୁ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର କରିଛି ଚୌଦ୍ଵାର ପୋଲିସ ।ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଚୌଦ୍ଵାର ଥାନାରେ ଅଭିଯୋଗ କରିଛନ୍ତି । ଚୌଦ୍ଵାର ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି । ଏଭଳି ଘଟଣା ଘଟିଛି ଚୌଦ୍ଵାର ଥାନା ପାଇକରାପୁର ଗ୍ରାମରେ । ଏହି ଗ୍ରାମର ଚକ୍ରଧର ଜେନା ୩ବର୍ଷ ହେବ ନିକଟସ୍ଥ ଗାଁ ଚିତ୍ତେଶ୍ବରର ଦୁର୍ଗା ଚରଣ ପ୍ରଧାନଙ୍କ ଝିଅ ସସ୍ମିତାକୁ ଦୁଇ ପରିବାରର ସହମତିରେ ବିବାହ କରିଥିଲେ । ସସ୍ମିତାଙ୍କ ୧ବର୍ଷର ପୁଅଟିଏ ମଧ୍ୟ ଅଛି । ଆଜି ଘରେ ଚକ୍ରଧର ନଥିବା ସମୟରେ ସସ୍ମିତା ଦିନ ୧୧ଟା ବେଳକୁ ପଙ୍ଖାରେ ଲୁଗା ସାହାଯ୍ୟରେ ଝୁଲି ଯାଇଥିବା ଶାଶୁଘର ଲୋକେ ଦେଖିଥିଲେ । ଏନେଇ ସସ୍ମିତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ସସ୍ମିତାଙ୍କ ପରିବାର ଲୋକେ ପହଞ୍ଚି ମୃତ୍ୟୁର କାରଣ ଜାଣିବା ପାଇଁ ଚୌଦ୍ଵାର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଘରେ ସସ୍ମିତାଙ୍କ ସ୍ୱାମୀ ନଥିବା ବେଳେ କେଉଁ କାରଣରୁ ସସ୍ମିତା ଏଭଳି ଘଟଣା କାହିଁକି ଘଟାଇଛି ନା ତାକୁ ହତ୍ୟା କରାଯାଇଛି ଏନେଇ ପ୍ରଶ୍ନ କରିଛନ୍ତି । ପୋଲିସ ଏସବୁର ତଦନ୍ତ ଜାରି ରଖିଛି।





