ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସ୍ୱାମୀଙ୍କ ସହ ବାପଘରକୁ ଯାଉଥିବା ବେଳେ ହଠାତ୍ ଟ୍ରେନ୍ ଆଗକୁ ଡେଇଁ ପଡ଼ିଲେ ମହିଳା । ଏପରି ଅସ୍ୱାଭାବିକ ଘଟଣା ଭୁବନେଶ୍ୱର କାରଗିଲ ବସ୍ତି ନିକଟରେ ଘଟିଛି। ମହିଳାଙ୍କ ମାନସିକ ଭାରସାମ୍ୟ ଠିକ୍ ରହୁ ନ ଥିବାରୁ ସେ ଏପରି କାଣ୍ଡ ଘଟାଇଥିବା ପରିବାର ଲୋକେ କହୁଥିବା ବେଳେ ପୋଲିସ ଘଟଣାର ଖୋଳତାଡ ଜାରି ରଖିଛି । ଆଜି ମହିଳାଙ୍କୁ ତାଙ୍କ ସ୍ୱାମୀ କାର୍ରେ ବାପଘରକୁ ଛାଡ଼ିବାକୁ ନେଉଥିଲେ। ମାତ୍ର କାର୍ଟି ବାଟରେ ଅଟକି ଥିବା ବେଳେ ହଠାତ ଓହ୍ଲାଇ ଦୌଡିଥିଲେ ମହିଳା । ଏହାପରେ କାରଗିଲ ବସ୍ତି ନିକଟରେ ଟ୍ରେନ୍ ସାମ୍ନାକୁ ଡେଇଁ ପଡିଥିଲେ । ଏପରିକି କିଛି ଲୋକ ମହିଳାଙ୍କୁ ଅଟକାଇବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ । ପୁଲିସ୍ ମହିଳାଙ୍କ ସ୍ୱାମୀଙ୍କୁ ଏନେଇ ପଚରାଉଚରା କରୁଛି । ଏପଟେ ମୃତ ମହିଳାଙ୍କ ବାପାଙ୍କ କହିବାନୁଯାୟୀ, ଝିଅର ମାନସିକ ସ୍ଥିତି ଭଲ ନଥିଲା । ଆଜି ଜ୍ୱାଇଁ ଝିଅକୁ ଆମ ଘରେ ଛାଡ଼ିବାକୁ ଆଣୁଥିଲେ। ଝିଅର ମଝିରେ ମଝିରେ ମାନସିକ ସ୍ଥିତି ବିଗିଡ଼ିଯାଏ। ଆମ ଘରେ ଆସି ୮-୧୦ ଦିନ ରହି ଭଲ ହୋଇ ପୁଣି ଝିଅ ତା’ ଘରକୁ ଯାଏ। ହେଲେ ଆଜି ଆମ ଘରକୁ ଆସୁଥିବା ବେଳେ ବାଟରେ ଏପରି ଘଟଣା ଘଟିଛି ।





