ଭଦ୍ରକ, (ବାଘୁଆବାର୍ତ୍ତା): ଭଦ୍ରକ ହେଉଛି କଳାର ମାଟି, ଭଦ୍ରକ ଦେଇଛି ଅନେକ କଳାକାର, ଭଦ୍ରକର ବିଶିଷ୍ଟ ରାଜନୀତିଜ୍ଞ, ସାହିତ୍ୟିକ ତଥା ଯଶ୍ୱସୀ ନାଟ୍ୟକାର ସୁଧାକର ନନ୍ଦ ୨୦୧୯ ମସିହାର ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସମ୍ମାନ ପାଇବା ପାଇଁ ମନୋନୀତ ହୋଇଛନ୍ତି। ଉଭୟ ରାଜନୀତି ଓ ସାହିତ୍ୟରେ ଶ୍ରୀ ନନ୍ଦଙ୍କର ସମଗ୍ର ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି। ତାଙ୍କ ରଚିତ ବହୁ ନାଟକ ଅଲ୍ ଇଣ୍ଡିଆ ରେଡିଓ ପକ୍ଷରୁ ପ୍ରସାରିତ ହୋଇ ଲୋକପ୍ରିୟତା ହାସଲ କରିଛି। ଅନୁରୂପ ଭଦ୍ରକ କଲେଇ ପଂଚାୟତର ନାଟ୍ୟଶ୍ରୀ ନିର୍ମଳ ରାଉତ ମଧ୍ୟ ୨୦୨୧ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଅନେକ ନାଟକ ଓ କ୍ଷୁଦ୍ର ସିନେମା ଦୂରଦର୍ଶନରେ ପ୍ରସାରିତ ହୋଇଛି। ଏହି ଖବର ପାଇବା ପରେ ଶ୍ରୀ ନନ୍ଦ ଓ ଶ୍ରୀ ରାଉତଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିଛି।






