କୋଲକତା (ବାଘୁଆବାର୍ତ୍ତା): କିଏ ହେବ ପଶ୍ଚିମବଙ୍ଗ ବିଧାନ ସଭାର ବିରୋଧୀ ଦଳ ନେତା । ଏହାକୁ ନେଇ ଚାଲିଛି ଘଣ୍ଟା ଚକଟା । ଶୁଭେନ୍ଦୁ ଅଧିକାରୀ ନା ମୁକୁଲ ରାୟ? ନିର୍ବାଚନ ଫଳାଫଳର ସପ୍ତାହକ ପରେ ବି ବିରୋଧୀ ଦଳ ନେତା ଘୋଷଣା କରିପାରିନି ବିଜେପି । ତେବେ ଏହି ଦୁଇ ନେତା ଟିଏମସିରୁ ଆସିଛନ୍ତି । ଉଭୟ ଟିଏମସିରେ ମଧ୍ୟ ଗୁରୁ ଦାୟିତ୍ୱରେ ଥିଲେ । ଏବେ କିନ୍ତୁ ବିଜେପିକୁ ଆସିବା ପରେ ଉଭୟଙ୍କ ମଧ୍ୟରେ ପଦବୀକୁ ନେଇ କନ୍ଦଳ ରହିଥିବା ସୂଚନା ରହିଛି । ଯାହାକୁ ନେଇ ପଦ୍ମ ଶିବୀର ଏବେ ଅଡୁଆରେ । ତେବେ କନ୍ଦଳର ସମାଧାନ ପାଇଁ କେନ୍ଦ୍ର ବିଜେପି ଦୁଇ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛି । ପର୍ଯ୍ୟବେକ୍ଷକଙ୍କ ନିଷ୍ପତ୍ତି ଆଧାରରେ ବିରୋଧୀ ଦଳର ନେତା ବାଛିବ ଦଳ । ଶନିବାର ରାତିରେ ବିଜେପି ସଭାପତି ଜେପି ନଡ୍ଡାଙ୍କ ଘରେ ଏହି ପ୍ରସଙ୍ଗରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆଉ ନଡ୍ଡା ବିରୋଧୀ ଦଳର ନେତା ଚୟନ କରିବାର ଦାୟିତ୍ୱ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ ସାଧାରଣ ସମ୍ପାଦକ ଭୁପେନ୍ଦ୍ର ଯାଦବଙ୍କୁ ଦେଇଛନ୍ତି । ତେବେ ଶୁଭେନ୍ଦୁ ଅଧିକାରୀ ବିରୋଧୀ ଦଳର ନେତା ହେବେ ବୋଲି ସୂଚନା ରହିଛି । ସେ ଦୀର୍ଘ ଦିନ ଧରି ରାଜ୍ୟର ମନ୍ତ୍ରୀ ତଥା ସାଂସଦ ଥିଲେ ବହୁ ବର୍ଷ ଧରି ବିଧାୟକ ରହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ପଦ୍ମ ଶିବୀର ଶୁଭେନ୍ଦୁ ଅଧିକାରୀଙ୍କୁ ବିରୋଧୀ ଦଳର ନେତା ଭାବରେ ପ୍ରୋଜେକ୍ଟ କରିପାରେ । ଏଥିସହ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସେ ନିର୍ବାଚନରେ ହରାଇଛନ୍ତି । ତେଣୁ ଏହି ପରିପ୍ରେକ୍ଷୀରେ ତାଙ୍କ ନାମ ବିରୋଧୀ ଦଳର ନେତା ଭାବରେ ଆଗରେ ରହିଛି । ହେଲେ ଏହି ପଦବୀ ପାଇଁ ତୁଳନାତ୍ମକ ଭାବେ ଦଳର ପୁରୁଣା ସଦସ୍ୟ ମୁକୁଲ ରୟଙ୍କ ନାମ ମଧ୍ୟ ରହିଛି । ସେ କୃଷ୍ଣ ନଗର ଉତ୍ତର ଆସନରୁ ଜିତିଛନ୍ତି । ସେ ମମତାଙ୍କ ନିକଟତମ ଥିଲେ । ଏମିତିକି ୟୁପିଏ ସରକାର ବେଳେ ମମତା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାପରେ ରେଳ ମନ୍ତ୍ରୀ ପଦବୀ ଛାଡ଼ି ଦେଇଥିଲେ । ଆଉ ମୁକୁଲ ରୟ ହୋଇଥିଲେ କେନ୍ଦ୍ରରେ ରେଳ ମନ୍ତ୍ରୀ । କିନ୍ତୁ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୁକୁଲ ଟିଏମସି ଛାଡି ବିଜେପିରେ ସାମିଲ ହୋଇଥିଲେ ।





