ନୟାଗଡ଼, (ବାଘୁଆବାର୍ତ୍ତା): ଗ୍ରୀଷ୍ମ ଋତୁରେ ବାୟୁ ମଣ୍ଡଳର ଉଷ୍ମତା ସହିତ ଜଙ୍ଗଲ ନିଆଁ ଜନ ଜୀବନକୁ ଅସ୍ତ ବ୍ୟସ୍ତ କରି ଦେଇଥାଏ।ନିଆଁ ଜଙ୍ଗଲ ପଶୁ ପକ୍ଷୀଙ୍କ ଅକାଳ ମୃତ୍ୟୁ ଆଣିବା ସହିତ ଉପକାରୀ ଉଭିଦ ମାନଙ୍କୁ ପୋଡ଼ି ଜାଳି ନଷ୍ଟ କରିଦେଇ ଜୈବ ଭାରସାମ୍ୟ ନଷ୍ଟ କରି ଦେଇଥାଏ।ଚଳିତ ବର୍ଷ ଅଧିକ ଉତ୍ତାପ ବୃଦ୍ଧି ର ପୂର୍ବାନୁମାନ କୁ ଆଖି ଆଗରେ ରଖି ଆଗୁଆ ପଦକ୍ଷେପ ସ୍ୱରୂପ ପୂର୍ବ ବର୍ଷ ମାନଙ୍କ ପରି ଓଡଗାଁ ବ୍ଲକର କୁରାଳ ସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅରୋମୀରା ଟ୍ରଷ୍ଟ ତରଫରୁ ସମ୍ପୂର୍ଣ୍ଣ ମାନବ କୃତ ଜଙ୍ଗଲ ନିଆଁ କୁ ରୋକିବା ଲାଗି ଗାଁ କୁ ଗାଁ ବୁଲି ଲୋକ ମାନଙ୍କୁ ସଚେତନ କରିବା କାର୍ଯ୍ୟ ଟ୍ରଷ୍ଟ ର ପ୍ରତିଷ୍ଠାତା ପ୍ରକୃତି ବନ୍ଧୁ ସୁକାନ୍ତ ଚୌଧୁରୀ ଙ୍କ ତତ୍ତ୍ଵାବଧାନରେ ଆରମ୍ଭ ହୋଇ ଯାଇଅଛି।ବାହାଡ଼ାଝୋଲା ରିଜର୍ଭ ଶାଳ ବଣ ମଧ୍ୟରେ ଅବସ୍ଥିତ ଡହଙ୍ଗି ଗ୍ରାମରୁ ସଚେତନତା କାର୍ଯ୍ୟ କ୍ରମର ଶୁଭାରମ୍ଭ ହେବା ସହିତ ଜିଲ୍ଲା ଭିତରେ ଓ ବାହାର ଅଞ୍ଚଳରେ ଏ ଦିଗରେ କାର୍ଯ୍ୟକ୍ରମ ଆଗେଇ ଚାଲିଛି।ବିଗତ ଦିନରେ ଜଙ୍ଗଲ ନିଆଁ ଓ ପାଳ ପୋଡ଼ି କୁ ରୋକିବା ଦିଗରେ ସମ୍ପୂର୍ଣ୍ଣ ନହେଲେବି ବହୁ ପରିମାଣରେ ସଫଳତା ଟ୍ରଷ୍ଟର କାର୍ଯ୍ୟକୁ ଆଗେଇ ନେବାରେ ଉତ୍ସାହ ପ୍ରଦାନ କରିଥିବା କଥା ଟ୍ରଷ୍ଟ ପରିଚାଳକ କହି ଥାନ୍ତି।ଅଳ୍ପ କେତେକ ଖଳ ଲୋକଙ୍କୁ ଛାଡ଼ି ଦେଲେ ଅଧିକାଂଶ ଲୋକ ପ୍ରାକୃତିକ ପାହାଡ ଓ ଜଙ୍ଗଲକୁ ଭଲ ପାଇ ସୁରକ୍ଷା ଦେଇଥାନ୍ତି ।

ଏହାକୁ ଆଧାର କରି ଲୋକ ମାନଙ୍କ ମଧ୍ୟରେ ପରିବେଶକୁ ଭଲ ପାଇବାର ମଞ୍ଜି ବୁଣିବା ପାଇଁ ସେ ମହାଶୟ ଗାଁ କୁ ଗାଁ ବୁଲି ଲୋକଙ୍କ ସୁଖ ଦୁଃଖରେ ଭାଗ ନେବା ସହିତ ଗାଁ ଗାଁ ରେ ଧରିତ୍ରୀ ମାତାର ପୂଜନ କାର୍ଯ୍ୟକ୍ରମକୁ ଚାଲୁ ରଖିବାରେ ସହାୟତା କରି ଆସୁଛନ୍ତି ଯାହା ଫଳରେ ଗତ ବର୍ଷ ବାହାଡ଼ାଝୋଲ୍ଲା ରିଜର୍ଭ ଶାଳ ବଣ ଏବଂ ସୁନାମୁହିଁ ପଞ୍ଚାୟତ ନିକଟସ୍ଥ ନୟାଗଡ଼ ଓ ଗଞ୍ଜାମ ଜିଲ୍ଲା ର ସରହଦରେ ଅବସ୍ଥିତ ପଞ୍ଚୁ ପାଣ୍ଡବ ପାହାଡ ନିଆଁ ଦାଉରୁ ମୁକ୍ତ ହୋଇଥିବା ସେ ଦୃଢତାର ସହ କହିଥାନ୍ତି। ନିଜସ୍ଵ ବ୍ୟବସ୍ଥାରେ ଡାକ ବାଜି ଯନ୍ତ୍ର ସହାୟତା ରେ ସଚେତନତାର ଗୀତ ସହିତ ଜଙ୍ଗଲ ସୁରକ୍ଷା, ଆମରି ରକ୍ଷା, ବଣ ପଶୁ ପକ୍ଷୀ ଆମର ସାଥି, କେବେହେଁ ତାଙ୍କର ନ କର କ୍ଷତି, ଜଙ୍ଗଲରେ ନିଆଁ ଚେଙ୍ଗ ନା ଭାଇ, ଗଛ ଲତା ପଶୁ ପକ୍ଷୀ ପୋଡ଼ି ମରଇ, ଜଙ୍ଗଲ ପାହାଡ ନିଆଁ ହୋଇଲେ, କଲବଲ ଆମେ ହେବା ଟି ଭଲେ, ନିଆଁ ଲଗାଳି କୁ ଧରାଇ ଦେଲେ, ପୁରସ୍କାର ତୁମେ ପାଇବ ଭଲେ, ଆସ ଆମେ ସବୁ ଏକାଠି ହେବା, ଜଙ୍ଗଲ ନିଆଁକୁ ରୋକିଣ ଦେବା ଇତ୍ୟାଦି ସ୍ଲୋଗାନ ମାନ ଦେଇ ଜନ ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଛି।

ବନ ବିଭାଗ ସହିତ ସ୍ଥାନୀୟ ଜନସାଧାରଣ,ପରିବେଶ କର୍ମୀ, ସ୍ବେଚ୍ଛାସେବୀ, ବନ ସୁରକ୍ଷା ସମିତି, ଜନ ପ୍ରତିନିଧି, ରାଜ୍ୟ ସରକାରଙ୍କ ପୁରସ୍କୃତ ପ୍ରକୃତି ବନ୍ଧୁ ଏବଂପ୍ରକୃତି ମିତ୍ର, କବି, ଲେଖକ, ଚିତ୍ରକାର, କଳାକାର, ପୋଲିସ ଓ ଅଗ୍ନିଶମ ବିଭାଗ, ଜଙ୍ଗଲ ସୁରକ୍ଷା ମହାସଂଘ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ବୁଦ୍ଧିଜିବୀ ତଥାଗଣ ମାଧ୍ୟମର ପ୍ରତିନିଧି ମାନେ ଆଗେଇ ଆସିବା ସହିତ ଜିଲ୍ଲା ପ୍ରଶାସନ ଅତୀତ ର ଅନୁଭୂତିକୁ ନେଇ ଆଗୁଆ ପଦକ୍ଷେପ ନେବାକୁ ଟ୍ରଷ୍ଟ ତରଫରୁ ଅନୁରୋଧ କରାଯାଇ ଅଛି। ଅରୋମୀରା ଟ୍ରଷ୍ଟ ର ପଦକ୍ଷେପ ଏବଂ ନିବେଦନକୁ ନିଶ୍ଚୟ ସ୍ଵୀକୃତି ଦେଇ ସର୍ବସାଧାରଣ ଙ୍କ ନିକଟରେ ଏ ବାର୍ତ୍ତା ପହଞ୍ଚାଇବା ପାଇଁ ଆପଣ ଙ୍କଗଣ ମାଧ୍ୟମ ର ପୃଷ୍ଠାରେ ସ୍ଥାନିତ କରିବାକୁ ଅନୁରୋଧ କରୁଅଛି।





