ନୟାଗଡ଼, (ବାଘୁଆବାର୍ତ୍ତା): ଗତ ୧୧ରୁ ୧୩ ତାରିଖ ମାର୍ଚ୍ଚ ୨୦୨୫, ତିନି ଦିନ ଧରି ଓଡିଶା ରାଜ୍ୟ ଭାରତ ରାଜ୍ୟ ସ୍କାଉଟ ଓ ଗାଇଡ ଆୟୋଜିତ ଷଷ୍ଠ ଜିଲ୍ଲା ସ୍ତରୀୟ କ୍ୟାମ୍ପୋରୀ, ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ଖଣ୍ଡପଡାରେ ମହା ଆଡମ୍ବର ସହିତ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟ କ୍ରମରେ ୫୮ଟି ବିଦ୍ୟାଳୟର ୮୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶୃଙ୍ଖଳା, ଅନୁଶାସନ, ଶାରୀରିକ, ମାନସିକ ଶିକ୍ଷା, ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ନୃତ୍ୟଗୀତ, ଖାଦ୍ୟ ମେଳାର ପ୍ରତିଯୋଗିତା କରାଯାଇଥିଲା ।
ଏହି କ୍ୟାମ୍ପୋରୀରେ ଡି.ଏ.ଭି ପବ୍ଲିକ ସ୍କୁଲ, ନୟାଗଡ଼ର ଛାତ୍ରଛାତ୍ରୀ ମାନେ ସମସ୍ତ ପ୍ରତିଯୋଗିତାରେ ଅଦ୍ଭୁତପୂର୍ବ ସଫଳତା ହାସଲ କରି ବିଦ୍ୟାଳୟ ଓ ଜିଲ୍ଲା ପାଇଁ ସୁନାମ ଆଣିଛନ୍ତି । ସାଧାରଣ ଜ୍ଞାନ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ, ମାର୍ଚ୍ଚ ପାଷ୍ଟ ଓ ନୃତ୍ୟଗୀତରେ ଦ୍ୱିତୀୟ ସ୍ଥାନ ଓ ଖାଦ୍ୟ ପ୍ରସ୍ତୁତିରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସରୋଜ କୁମାର ମିଶ୍ର ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।