ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିକା ପ୍ରଦର୍ଶନ କରିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ପ୍ରତିମୂର୍ତ୍ତିଗୁଡ଼ିକ ପ୍ରାଥମିକତା ଭାବେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଥାପନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏ ନେଇ ଲୋକ ସେବା ଭବନଠାରେ ବିଭାଗୀୟ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ଏହା ସ୍ଥିର କରାଯାଇଛି । ତା’ଛଡ଼ା ପୂର୍ବରୁ ବିଭିନ୍ନ ସ୍ଥାନରୁ ଆସିଥିବା ମୂର୍ତ୍ତି ସ୍ଥାପନ ପ୍ରସ୍ତାବଗୁଡ଼ିକୁ ମଧ୍ୟ ଅଗ୍ରାଧିକାର ଭିତ୍ତିରେ ବିଚାରକୁ ନିଆଯିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ଯେଉଁ ସବୁ ସ୍ଥାନରେ ମୂର୍ତ୍ତି ସ୍ଥାପନ ସ୍ଥଳୀଗୁଡ଼ିକରେ ଜମିର ସୌନ୍ଦର୍ଯ୍ୟକରଣର ଆବଶ୍ୟକତା ଥାଏ ତେବେ ସେଗୁଡ଼ିକ ମଧ୍ୟ କରିବାକୁ ଅର୍ଥ ବ୍ୟୟର ପ୍ରାବଧାନ କରାଯିବ । ଏତଦ୍ ବ୍ୟତୀତ ସରକାରଙ୍କ ଦ୍ୱାରା ସ୍ଥାପିତ ସମସ୍ତ ପ୍ରତିମୂର୍ତ୍ତିର ଦୁଇ ବର୍ଷରେ ଥରେ ରକ୍ଷଣାବେକ୍ଷଣ କାର୍ଯ୍ୟ ନିଶ୍ଚିତ ଭାବେ କରିବାକୁ ବିଭାଗ ନୀତିଗତ ଭାବେ ସିଦ୍ଧାନ୍ତ ନେଇଛି । ଆଜିର ଏହି ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ନାୟକ, ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ପାଦିକା ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ, ସଙ୍ଗୀତ ନାଟକ ଏକାଡେମୀର ସମ୍ପାଦକ ଶ୍ରୀ ପ୍ରବୋଧ ରଥ, ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡଃ ସଙ୍ଗୀତା ଗୋସାଇଁ ଓ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ ।






