ଭୂବନେଶ୍ୱର, (ବାଘୁଆବାର୍ତ୍ତା) : କୋଭିଡ୍-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ସାରା ଦେଶରେ ଲକ୍ ଡାଉନ୍ ପରିସ୍ଥିତି ଯୋଗୁଁ ବିଭିନ୍ନ ରାଜ୍ୟରୁ ପ୍ରବାସୀମାନେ ଓଡ଼ିଶା ଆସୁଛନ୍ତି । ସେମାନଙ୍କ ଖାଦ୍ୟ ନିରାପତ୍ତାକୁ ଦୃଷ୍ଟିରେ ରଖି ମୁଣ୍ଡପିଛା ୫ କେଜି ଲେଖାଏଁ ଚାଉଳ ଦୁଇମାସ ନିମନ୍ତେ ବିନାମୂଲ୍ୟରେ ଦିଆଯିବା ବ୍ୟବସ୍ଥା ସଂପର୍କରେ ଆଜି କେନ୍ଦ୍ର ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରୀ ଶ୍ରୀ ରାମବିଳାସ ପାଶ୍ୱାନ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସହିତ ଟେଲିଫୋନ ଯୋଗେ କଥା ହୋଇଥିଲେ । ପୂର୍ବରୁ ଅପ୍ରେଲ୍ ୧୩ ତାରିଖ ଦିନ କେନ୍ଦ୍ର ମନ୍ତ୍ରୀ ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ ବିଭିନ୍ନ ରାଜ୍ୟର ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସହିତ କରିଥିବା ଆଲୋଚନାରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ତାଲାବନ୍ଦ ସମୟରେ ବାହାର ରାଜ୍ୟରେ ଅଟକି ରହିଥିବା ପ୍ରବାସୀମାନଙ୍କୁ ତିନିମାସ ପାଇଁ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରେ ସାମିଲ କରିବା ପାଇଁ ଦାବି କରିଥିଲେ । କେନ୍ଦ୍ର ସରକାର ପ୍ରବାସୀମାନଙ୍କ ସମସ୍ୟାକୁ ବିଚାର କରି ସେମାନଙ୍କ ନିମନ୍ତେ ବିନାମୂଲ୍ୟରେ ଦୁଇମାସ ନିମନ୍ତେ ଖାଦ୍ୟ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିବାରୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପାଶ୍ୱାନଙ୍କୁ ବାର୍ତ୍ତାଳାପ ସମୟରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଧନ୍ୟବାଦ ଜଣାଇଛନ୍ତି ।






