ଭୂବନେଶ୍ୱର, (ବାଘୁଆବାର୍ତ୍ତା): ଓଡ଼ିଶା ଚେକ୍ ପଏଣ୍ଟ ଦେଇ ଯାଉଥିବା ଅନ୍ୟ ରାଜ୍ୟର ଶ୍ରମିକମାନଙ୍କୁ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମରେ ପ୍ରବାସୀ ମାସକୁ ମୁଣ୍ଡପିଛା ୫ କେ.ଜି. ଚାଉଳ ହିସାବରେ ୨ ମାସର ୧୦ କେ.ଜି. ଚାଉଳ ଏବଂ ପରିବାର ପିଛା ୧ କେ.ଜି. ଚଣା ହିସାବରେ ୨ କେ.ଜି. ଚଣା ବିନାମୂଲ୍ୟରେ ବଣ୍ଟନ କରାଯାଉଛି । ପ୍ରବାସୀ ଶ୍ରମିକ ଯେଉଁମାନେ ଓଡ଼ିଶା ମଧ୍ୟ ଦେଇ ନିଜ ରାଜ୍ୟକୁ ଫେରୁଛନ୍ତି ସେମାନଙ୍କୁ ଚେକ୍ ପଏଣ୍ଟରେ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଅନୁଯାୟୀ ଚାଉଳ ଓ ଚଣା ଯୋଗାଇ ଦେବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୀମାବର୍ତ୍ତୀ ୧୧ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପତ୍ର ଲେଖାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ପୋଲିସ ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜ୍ୟର ୧୧ଟି ଜିଲ୍ଲାର ୧୨ଟି ଚେକ୍ ପଏଣ୍ଟ ମାଧ୍ୟମରେ ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମିକ ଓଡ଼ିଶା ମଧ୍ୟ ଦେଇ ଯେପରି ସୁବିଧାରେ ନିଜ ରାଜ୍ୟକୁ ଫେରି ପାରିବେ ସେଥିନିମନ୍ତେ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଛି । ‘କୋଭିଡ-୧୯’ ସଂକ୍ରମଣ ପରିପ୍ରେକ୍ଷୀରେ ଜନସାଧାରଣଙ୍କ ଖାଦ୍ୟ ନିରାପତ୍ତାକୁ ସରକାର ସର୍ବାଧିକ ଗୁରୁତ୍ୱ ଦେଇଥିବା ପରିପ୍ରେକ୍ଷୀରେ ଏହି ପ୍ରବାସୀ ଶ୍ରମିକମାନଙ୍କୁ ଚେକ୍ ପଏଣ୍ଟରେ ଆତ୍ମନିର୍ଭର ଭାରତ ନିର୍ମାଣ କାର୍ଯ୍ୟକ୍ରମ ଚାଉଳ ଓ ଚଣା ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ମନ୍ତ୍ରୀ ଶ୍ରୀ ସ୍ୱାଇଁ ଏହା ପୂର୍ବରୁ ଏପି୍ରଲ ୧୩ ଏବଂ ମେ ୨୨ ତାରିଖରେ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ରାମ ବିଳାସ ପାଶ୍ୱାନଙ୍କ ସହିତ ଅନୁଷ୍ଠିତ ଭିଡିଓ କନ୍ଫରେନସିଂ ବୈଠକରେ ପ୍ରବାସୀମାନଙ୍କର ଖାଦ୍ୟ ନିରାପତ୍ତାକୁ ଗୁରୁତ୍ୱ ପ୍ରଦାନ କରି ସେମାନଙ୍କୁ ବିନା ମୂଲ୍ୟରେ ୩ ମାସ ପାଇଁ ରାସନ ଯୋଗାଇ ଦେବା ନିମନ୍ତେ ପ୍ରସ୍ତାବ ଦେଇଥିଲେ । ଏହି ମର୍ମରେ ରାଜ୍ୟର ୧୧ଟି ସୀମାବର୍ତ୍ତୀ ଜିଲ୍ଲାର ୧୨ଟି ଚେକ୍ପଏଣ୍ଟ ଦେଇ ଯାଉଥିବା ପ୍ରବାସୀ ଶ୍ରମିକମାନଙ୍କୁ ଆତ୍ମନିର୍ଭର ଭାରତ ଯୋଜନାରେ ଚାଉଳ ଓ ଚଣା ବଣ୍ଟନ କାର୍ଯ୍ୟ ଆରମ୍ଭ କରାଯାଇଛି । ଏଥିରେ ମୁଣ୍ଡପିଛା ୧୦ କେ.ଜି ଚାଉଳ ଓ ପରିବାର ପିଛା ୨ କେ.ଜି. ଚଣା ବିନାମୂଲ୍ୟରେ ଯୋଗାଇ ଦିଆଯାଉଛି । ଚେକ୍ପଏଣ୍ଟ ନିକଟବର୍ତ୍ତୀ ସୁଲଭ ମୂଲ୍ୟ ଦୋକାନ ମାଧ୍ୟମରେ ଖାଦ୍ୟ ସାମଗ୍ରୀ ବଣ୍ଟନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିନିମନ୍ତେ ଜିଲ୍ଲା ଯୋଗାଣ ଅଧିକାରୀମାନଙ୍କୁ ଆବଶ୍ୟକ ପରିମାଣର ଚାଉଳ ଓ ଚଣା ଯୋଗାଣ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ପ୍ରବାସୀମାନଙ୍କୁ ଚାଉଳ ଓ ଚଣା ବଣ୍ଟନ କରାଯାଉଛି ସେମାନଙ୍କ ବାମ ହାତର ମଝି ଆଙ୍ଗୁଠିରେ ଅଲିଭା କାଳି ଲଗାଇବା ସହିତ ସେମାନଙ୍କ ନିର୍ଭୁଲ ତାଲିକା ପ୍ରସ୍ତୁତ କରି ବିଭାଗକୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରବାସୀ ଶ୍ରମିକମାନଙ୍କ ଯିବାଆସିବା ପାଇଁ ସୁନ୍ଦରଗଡ଼ର ବୀରମିତ୍ରପୁର, କେନ୍ଦୁଝରର ଚମ୍ପୁଆ, କୋରାପୁଟର ଚାନ୍ଦିଲିି, ଗଞ୍ଜାମର ଗିରିଶୋଲା, ମୟୁରଭଞ୍ଜର ଜାମଶୋଳା, ଝାରସୁଗୁଡ଼ାର କନକତୋରା, ରାୟଗଡ଼ାର କେରେଡା, ନୂଆପଡ଼ାର ଖରିଆର ରୋଡ, ବାଲେଶ୍ୱରର ଲକ୍ଷ୍ମଣନାଥ, ବରଗଡ଼ର ଲୋହାରଚୋଟି, ମାଲକାନଗିରିର ମୋଟୁ ଏବଂ କୋରାପୁଟର ଶୁଙ୍କିଠାରେ ଚେକ୍ପଏଣ୍ଟ ଖୋଲାଯାଇଛି ।





