ଭୂବନେଶ୍ୱର,(ବାଘୁଆବାର୍ତ୍ତା): ୭୪ତମ ସ୍ବାଧୀନତା ଦିବସ ଅବସରରେ ରାଜ୍ୟର ରାଜଧାନୀ ଭୁବନେଶ୍ବରର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। କରୋନା ମହାମାରୀ ପାଇଁ କଟକଣା ମଧ୍ୟରେ ପାଳିତ ହୋଇଛି ସ୍ୱାଧୀନତା ଦିବସ । ଏହି ଅବସରରେ ସେ ଓଡ଼ିଶା ରାଜ୍ୟ ପୁଲିସ୍ ସଶସ୍ତ୍ର ବାହିନୀ, ଓଡ୍ରାଫ୍, ଏସ୍ ଏସ୍ ବାଟାଲିୟନଙ୍କ ଠାରୁ ଅଭିବାଦନ ଗ୍ରହଣ କରିଛନ୍ତି। ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ ସ୍ବାଧୀନତା ସଂଗ୍ରାମୀମାନଙ୍କ ସ୍ମୃତି ଚାରଣ କରିଛନ୍ତି। ମହାତ୍ମା ଗାନ୍ଧୀ, ପଣ୍ଡିତ ଜବାହାରଲାଲ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଡଃ ଆମ୍ବେଦକର, ମଧୁସୁଦନ ଦାସ, ବୀର ସୁରେନ୍ଦ୍ର ସାଏ, ଗୋପବନ୍ଧୁ ଦାସ, ମାଳତୀ ଚୌଧୁରୀ, ନବକିଶୋର ଚୌଧୁରୀ, ସହିଦ ଲକ୍ଷ୍ମଣ ନାୟକ, ପାର୍ବତୀ ଦେବୀ, ରମା ଦେବୀ, ଡଃ ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ପରି ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।






