ଓଡ଼ଗାଁ, (ବାଘୁଆ ବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସି ଅନ୍ତର୍ଗତ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ଗାଁର ଖେଳମଣିଷ ଦିବାକର ନାୟକ ମୁଖ୍ୟ ଅତିଥି,ସମ୍ମାନିତ ଅତିଥି ରୂପେ ଅବସରପ୍ରାପ୍ତ ମଣ୍ଡଳ ଶିକ୍ଷାଧିକାରୀ ଦାମୋଦର ଖିଲାର ଓ ବିଶିଷ୍ଟ ଅତିଥି ରୂପେ ଅବସରପ୍ରାପ୍ତ ଶିକ୍ଷକ ଶିବରାମ ସାହୁ ଯୋଗ ଦେଇ ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ଭଲ ପାଠ ପଢିବା ସାଙ୍ଗକୁ ବିଭିନ୍ନ ଖେଳ କୁଦରେ ଖେଳୁଆଡ ମନୋଭାବ ରଖି ଉତ୍ତମ ପ୍ରଦର୍ଶନ କଲେ ଭବିଷ୍ୟତରେ ଜଣେ ଜଣେ ଭଲ ମଣିଷ ହୋଇ ସମାଜର ଟେକ ରଖିପାରିବେ ବୋଲି ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ବିଭିନ୍ନ ବିଭାଗରେ ପାରଦର୍ଶିତା ଅର୍ଜନ କରିଥିବା ୧୦୭ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା।ଠିକ ସେହିପରି ଚଳିତ ବର୍ଷର ଶ୍ରେଷ୍ଠ ଖେଳାଳି ସୁଭମ ଭୂୟାଁ ଓ ରୋହନ କୁମାର ବେହେରାଙ୍କୁ ମୁଖ୍ୟ ଅତିଥି ଏକ ହଜାର ଅର୍ଥରାଶି ପ୍ରଦାନ କରି ଉତ୍ସାହିତ କରିଥିଲେ।ପ୍ରଧାନଶିକ୍ଷକ ବାର୍ଷିକ ବିବରଣୀ ପାଠ କରିଥିବାବେଳେ କ୍ରୀଡାଶିକ୍ଷକ ଅଜୟ କୁମାର ବାରିକ ଅତିଥି ପରିଚୟ ପ୍ରଦାନ କରିଥିଲେ।ପରିଶେଷରେ ସହକାରୀ ଶିକ୍ଷକ ପ୍ରସନ୍ନ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।