କଟକ, (ବାଘୁଆବାର୍ତ୍ତା): ୩୩ତମ ଜାତୀୟ ସଫ୍ଟ ବଲ୍ ଚାମ୍ପିଅନ୍ସିପ୍ ସତ୍ୟବ୍ରତ ଷ୍ଟାଡିୟମ୍ ଠାରେ ଆସନ୍ତା ୧୯ରୁ ୨୩ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହେବ । ଓଡ଼ିଶା ସଫ୍ଟ ବଲ୍ ଆସୋସିଏସନ୍ ତରଫରୁ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ପ୍ରାୟ ୨୫ ରାଜ୍ୟର ୩୫୦ ଖେଳାଳି ଓ ଅଫିସିଆଲ୍ସ ଯୋଗ ଦେବେ । ଖେଳାଳିଙ୍କ ରହିବା ପାଇଁ ବାରବାଟୀ ଷ୍ଟାଡିୟମ୍ ଠାରେ ବ୍ୟବସ୍ଥା କରାଯାଇଛି । ୧୪ବର୍ଷରୁ କମ୍ ବର୍ଗରେ ଖେଳାଳିଙ୍କ ଜନ୍ମ ୨୦୦୫ ମସିହା ଜାନୁୟାରୀ ୧ କିମ୍ବା ତା’ ପରେ ହେବା ଜରୁରୀ ବୋଲି କୁହାଯାଇଛି । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଖର୍ଚ୍ଚ ବାବଦରେ ୨୦ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ରାଜ୍ୟ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି । ଗତକାଲି ଓସିଏ ସମ୍ମିଳନୀ କକ୍ଷ ଠାରେ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଆୟୋଜକ ସମ୍ପାଦକ ବିଭୂପ୍ରସାଦ ରଥ, ଉପସଭାପତି ତପନ ସାହୁ, ପୂର୍ବତନ ସମ୍ପାଦକ ମନୋଜ ସାମଲ, ବୈଷୟିକ କମିଟି ଅଧ୍ୟକ୍ଷ ହିମାଂଶୁ ଜେନା, ପରାମର୍ଶଦାତା ସହଦେବ ରାଉତ, ଯୁଗ୍ମସମ୍ପାଦକ ସୁନିତା ବର୍ମା, ରେଫରୀ କମିଟି ଚେୟାରମ୍ୟାନ୍ ସଂଜିବ୍ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ ।






