ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା କରୋନା ମହାମାରୀ କାୟା ବିସ୍ତାରି ଚାଲିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୋକାନ ଖୋଲିବା ନେଇ କଟକଣା ଲାଗିଛି । ମାତ୍ର କଟକଣାକୁ ଖାତିର ନକରି ସହର ଆଖପାଖ ଅଂଚଳରେ ସଂନ୍ଧ୍ୟା ସମୟରେ ମଧ୍ୟ ବ୍ୟବସାୟ ଚାଲୁଥିବା ଜଣାଯାଇଛି । ଯାହାକୁ ନେଇ ଆସି ନୟାଗଡ଼ ତହସିଲଦାର୍ ଭିକାରୀ ସାହୁଙ୍କ ନେତୃତ୍ୱରେ ଏସ୍ଆଇ ଧର୍ମେନ୍ଦ୍ର ଶିଆଳ ଇଟାମାଟି ଅଂଚଳରେ ଚଢ଼ାଉ କରୁଥିବା ବେଳେ ବିଭିନ୍ନ ସ୍ଥାନରେ ପାନ ଦୋକାନ ଏବଂ ଜଳଖିଆ ଦୋକାନ ଖୋଲାଥିବା ଦେଖାଯାଇଥିଲା । ଏହାକୁ ନେଇ ଏକାଧିକ ଦୋକାନ ସିଲ୍ କରିଥିବା ଏବଂ ଜୋରିମାନା ଆଦାୟ କରିଥିବା ଜଣାଯାଇଛି । ଇଟାମାଟି ବଜାରରେ ଥିବା ତ୍ରିନାଥ ସାହୁଙ୍କ ଜଳଖିଆ ଦୋକାନକୁ ସିଲ କରାଯାଇଥିବା ବେଳେ ଦୁଇ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଥିବା ଜଣାଯାଇଛି । ସେହିଭଳି ମଜୁରିଆପଲ୍ଲୀ ଏବଂ ଅନ୍ୟ କେତେକ ସ୍ଥାନରୁ ଜୋରିମାନା ଆଦାୟ କରାଯାଇଛି ।





