ସୋର (ବାଘୁଆବାର୍ତ୍ତା): ଜଣେ ସେନା କର୍ମଚାରୀ ଅମାନୁଷିକ କାଣ୍ଡ ଘଟାଇଛନ୍ତି । ନିଜର ହିତାହିତ ଜ୍ଞାନ ଭୁଲି ଯାଇ ଜଣେ ମହିଳାଙ୍କୁ ଗୋଡେଇ ଗୋଡେଇ ପିଟିଲେ । ତେବେ ଏସବୁ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏପରି କାଣ୍ଡ ସୋର ଥାନା ଅନ୍ତର୍ଗତ ରୁପଖଣ୍ଡ ଗାଁରେ ଦେଖିବାକୁ ମିଳିଥିଲା । ତେବେ ପୂର୍ବ ଶତ୍ରୁତାରୁ ଏହି କାଣ୍ଡ ଘଟିଥିବା ସୂଚନା ମିଳିଛି । ରୁପଖଣ୍ଡ ଗ୍ରାମର ବୃନ୍ଦାବନ ବେହେରାଙ୍କ ଝିଅ ସତ୍ୟଭମାଙ୍କୁ ସେହି ଗ୍ରାମର ଆସାମ ରାଇଫଲରେ ସୈନିକ ଭାବେ କାର୍ଯ୍ୟରତ ବିଜୟ ବେହେରା ଗୋଡେଇ ଗୋଡେଇ ପିଟୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏଥିରୁ ଜଣାପଡିଥିଲା, ଯବାନ ବିଜୟ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସତ୍ୟଭାମା ଓ ତାଙ୍କ ମା’ ଶାନ୍ତିଲତାଙ୍କୁ ମାଡ଼ ମାରି ଗୁରୁତର କରି ପକାଇଥିଲେ । ଗୁରୁତର ଅବସ୍ଥାରେ ସତ୍ୟଭାମା ଓ ଶାନ୍ତିଲତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଏନେଇ ସତ୍ୟଭାମା ସୋର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ପୁଲିସ କେସ ନଂ ୧୯୪/୨୧ରେ ଏକ ମାମଲା ରୁଜୁ କରି ଘଟଣାର ପ୍ରାଥମିକ ତଦନ୍ତ କରି ସେନା କର୍ମଚାରୀ ବିଜୟ ଓ ତାଙ୍କ ଭାଇ ସଞ୍ଜୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟ ପକ୍ଷରେ ସଞ୍ଜୟଙ୍କ ଅଭିଯୋଗ ମୁତାବକ ପୁଲିସ କେସ ନଂ.୧୯୫/୨୧ରେ ଅନ୍ୟ ଏକ ମାମଲା ରୁଜୁ କରି ସତ୍ୟଭମାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।






