ବାଲେଶ୍ୱର (ବାଘୁଆବାର୍ତ୍ତା): ହଜିଗଲା ମାନବିକତା । ବଞ୍ଚି ଥାଉଥାଉ କୋଭିଡ ପଜିଟିଭକୁ ଛାଡି ଚାଲିଗଲେ ପରିବାର ଲୋକେ । ଆତ୍ମୀୟଙ୍କୁ ଖୋଜି ଖୋଜି ଡାକ୍ତରଖାନାରେ ଯୁବକଙ୍କ ଚାଲିଗଲା ଜୀବନ । ବାଲେଶ୍ୱର ଜିଲ୍ଲା ଖଇରା ନଦୁର ଗାଁର ଜଣେ ଯୁବକଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ତାଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାରେ ଗୁରୁବାର ରାତିରେ ଭର୍ତ୍ତି କରିଥିଲେ । ଡାକ୍ତରଖାନା ପକ୍ଷରୁ ଯୁବକର କୋଭିଡ ଟେଷ୍ଟ କରିବାରୁ ରିପୋର୍ଟ ପଜିଟିଭ ବାହାରିଥିଲା । ଯୁବକ ପଜିଟିଭ ବାହାରିବା ଶୁଣି ପରିବାର ଲୋକେ ଡାକ୍ତରଖାନାରେ ତାଙ୍କୁ ଛାଡି ଫେରାର ହୋଇଯାଇଥିଲେ । ଯୁବକ ଜଣକ ଡାକ୍ତରଖାନା ବେଡରେ ଆତ୍ମୀୟମାନଙ୍କୁ ଖୋଜି ଖୋଜି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସକାଳେ ଡାକ୍ତରଖାନା ପକ୍ଷରୁ ଯୁବକଙ୍କ ମୃତଦେହକୁ ବାଲେଶ୍ୱର ନିଆଯାଇ ସତ୍କାର କରାଯାଇଛି ।






