ଭଞ୍ଜନଗର/ସୋରଡ଼ା, (ବାଘୁଆବାର୍ତ୍ତା): ନବ ବିବାହିତା ପତ୍ନୀଙ୍କ ତଣ୍ଟି ଚିପି ହତ୍ୟା କରିବା ପରେ ଧାରୁଆ କଟୁରିରେ ହାଣି ଖଣ୍ଡଖଣ୍ଡ କରି ଋଷିକୁଲ୍ୟା ନଦୀରେ ଭସାଇ ଦେବା ଘଟଣାରେ ସୋରଡ଼ା ପୁଲିସ ଅଭିଯୁକ୍ତ ସ୍ୱାମୀ ନାରାୟଣ ମୂଳିକୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୁଲିସ ଓ ସାଇଣ୍ଟିଫିକ ଟିମ୍ ଆସାମୀକୁ ଧରି ହତ୍ୟା ଘଟଣାର ସିନ୍ ରିକ୍ରିଏସନ୍ କରିବା ସହ ହତ୍ୟାରେ ବ୍ୟବହୃତ କଟୁରି ଓ ଅନ୍ୟ କିଛି ଜିନିଷ ଜବତ କରିଛି । ଅପରପକ୍ଷରେ ଏବେ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଋଷିକୁଲ୍ୟା ନଦୀର ଜଳସ୍ତର ବୃଦ୍ଧି ପାଇଥିବାରୁ ଦମକଳ ବାହିନୀ ଶବ ଠାବ କରିବାରେ ସକ୍ଷମ ହୋଇନାହିଁ । ଜଳସ୍ତର ଖସିବା ପରେ ହୁଏତ ଶବ ଉଦ୍ଧାର ହୋଇପାରେ ବୋଲି ଦମକଳ କେନ୍ଦ୍ର ଫାୟାରମ୍ୟାନ୍ କୁଞ୍ଜ ବିଷୋୟୀ କହିଛନ୍ତି। ଅପରପକ୍ଷରେ ନଦୀର ପ୍ରଖର ସ୍ରୋତରେ ହୁଏତ ଖଣ୍ଡ ବିଖଣ୍ଡିତ ଶବ ସମୁଦ୍ର ମୁହାଣ ଯାଏ ଭାସି ଯାଇଥିବା ନେଇ ମଧ୍ୟ ଆଶଙ୍କା କରାଯାଉଛି ବୋଲି ସେ କହିଛନ୍ତି । ବୁଧବାର ବିଳମ୍ବିତ ରାତିରେ ନବବିବାହିତା ସ୍ତ୍ରୀ ବୁଲି ମୂଳିକୁ ସ୍ୱାମୀ ନିର୍ମମ ଭାବେ ବେଲ୍ଟ ସାହାଯ୍ୟରେ ତଣ୍ଟି ଚିପି ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ସେ ଶବକୁ ଗ୍ରାମ ନିକଟ ଋଷିକୁଲ୍ୟା ନଦୀର ହୁଲୁହୁଲା ଗଣ୍ଡ ନିକଟକୁ କାନ୍ଧରେ ବୋହି ନେଇଥିଲା । ସେଠାରେ ମୃତ ସ୍ତ୍ରୀର ଶରୀରକୁ କଟୁରିରେ ୫/୬ ଖଣ୍ଡ କରି ନଦୀରେ ଭସାଇ ଥିଲା । ଖବର ପାଇ ଗୁରୁବାର ପୁଲିସ ଛାନଭିନ ଜାରି ରଖିଥିଲେ ମଧ୍ୟ ମୃତକଙ୍କ ସମ୍ପର୍କରେ କିଛି ଟେର ପାଇନଥିଲ । ପୁଣି ଶୁକ୍ରବାର ଅଗ୍ନିଶମ ବିଭାଗ ଓ ପୁଲିସ ଖଣ୍ଡ ବିଖଣ୍ଡିତ ଶରୀରକୁ ଋଷିକୁଲ୍ୟା ନଦୀର ପ୍ରଖର ସ୍ରୋତରେ ଖୋଜି ନୟାନ୍ତ ହୋଇଥିଲେ ଶେଷରେ ଖଣ୍ଡିତ ଶବ ନପାଇ ନିରାଶ ହୋଇ ଫେରିଥିଲେ । ଅନ୍ୟ ପକ୍ଷରେ ଛତ୍ରପୁରରୁ ଏକ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରିଛି । ସୋରଡ଼ା ଥାନା କେସ୍ ୪୦୫/୨୩ ରୁଜୁ କରି ଅଭିଯୁକ୍ତ ନାରାୟଣ ମୂଳିକୁ କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ଜେଲ ପଠାଇ ଦିଆଯାଇଥିବା ସୋରଡ଼ା ଥାନା ଅଧିକାରୀ ଅନୀଲ କୁମାର ପରିଡ଼ା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଗତ ତିନି ମାସ ତଳେ ଭଗବାନପୁର ଗ୍ରାମର ଅଭିଯୁକ୍ତ ନାରାୟଣଙ୍କ ସହ ମୃତ ବୁଲିଙ୍କ ବିବାହ ସୋରଡ଼ା ଶିବ ମନ୍ଦିରରେ ଉଭୟ ପରିବାରର ଉପସ୍ଥିତିରେ ହୋଇଥିଲା । ପରେ ଉଭୟେ ହସ ଖୁସିରେ ଚଳି ଆସୁଥିଲେ । ଗତ କିଛି ଦିନ ହେବ ଉଭୟେ ନିଜ ଗ୍ରାମକୁ ଆସିଥିଲେ । କିଛି ଟଙ୍କା ପାଇଁ ସ୍ତ୍ରୀ ପିନ୍ଧିଥିବା ଏକ ସୁନା ଚେନକୁ ଅଭିଯୁକ୍ତ ସ୍ୱାମୀ ନାରାୟଣ ବନ୍ଧା ପକାଇ ଟଙ୍କା ଧାର ଆଣିବା ପାଇଁ ମାଗିବାରୁ ସ୍ତ୍ରୀ ରାଜି ନହେବାରୁ ଅଭିଯୁକ୍ତ ନାରାୟଣ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା ପୁଲିସ ପ୍ରଥମିକ ତଦନ୍ତରୁ ଜାଣିପାରିଛି।





