ଭଦ୍ରକ, (ବାଘୁଆବାର୍ତ୍ତା): ଗୋଟିଏ ବୋଲି ପୁଅ, ତାକୁ ବିବାହ କରିଦେଲୁ । ବିବାହ ପରେ ଘରକୁ ଭଲରେ ଚଳାଇବ ବୋଲି ଆଶା ରଖିଥିଲେ ବାପା-ମାଆ । ହେଲେ କିନ୍ତୁ ଆଶା ରହିଗଲା ଆଶାରେ । ପୁଅ ସେବା ପରିବର୍ତ୍ତେ ଆରମ୍ଭ କରିଦେଲା ମାରପିଟ୍ । ଥାନାରେ ଅଭିଯୋଗ ପରେ ପୁଅ ଭୁଲ ମାଗୁଲା , କିନ୍ତୁ ଘରକୁ ଆଣି ବାପ-ମାଆଙ୍କୁ ପୁଣି ମାଡ଼ ମାରୁଛି । ଏପରି ଅଭିଯୋଗ ପରେ ପୁଅକୁ ଅଟକ ରଖିଛି ପୋଲିସ । ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ଧାମନଗର ଥାନା ପାଳିକରି ଗାଁର ଗୋପବନ୍ଧୁ ଦାସ ଓ ଉମାମଣି ଦାସଙ୍କର ଗୋଟିଏ ବୋଲି ପୁଅ । ତାଙ୍କ ନାମ ଗଦାଧର ଦାସ । ଗୋଟିଏ ପିଲା ବୋଲି ବହୁ ଆଦରରେ ବଡ଼ କରିଥିଲେ । ଭବିଷ୍ୟତରେ ପୁଅର ସେବା ପାଇଁ ଅନେକ ସ୍ୱପ୍ନ ମଧ୍ୟ ଦେଇଥିଲେ । କିନ୍ତୁ ବିବାହ ପରେ ବାପ-ମାଆ ଦେଖିଥିବା ସବୁ ସ୍ୱପ୍ନ ଭାଙ୍ଗିଯାଇଥିଲା ।ପୁଅ ମଦ ପିଇ ବାପା-ମାଆଙ୍କୁ ମାଡ଼ ମାରିଥିବାର ଅଭିଯୋଗ ଆସିଛି । ଏନେଇ ଧାନନଗର ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ ଏହି ବୃଦ୍ଧ ଦମ୍ପତ୍ତି । ଥାନାରେ ଅଭିଯୋଗ ପରେ ବାପ-ମାଆଙ୍କୁ ସମସ୍ତଙ୍କ ଆଗରେ ଭୁଲ୍ ମାଗି ଘରକୁ ନେଇଥିଲେ । କିନ୍ତୁ କିଛି ଦିନର ବ୍ୟବଧାନ ପରେ ପୁଣି ଆରମ୍ଭ ହୋଇଯାଇଥିଲା ଯାତନା । ମଦ ପିଇ ପୁଣି ବାପ-ମାଆଙ୍କୁ ମାଡ଼ ମାରିବା ସହ ଘର ଭିତରେ ବନ୍ଦ କରିଦେଇଥିଲା ପୁଅ । ଉଭୟ ମା ଓ ବାପା ପଡୋଶୀ ଘରର ଲୋକଙ୍କ ସହଯୋଗରେ ଘରୁ ବାହାରି ଭଦ୍ରକ ଏସ୍ପିଙ୍କ ନିକଟକୁ ଆସିଥିଲେ । ପୋଲିସ ପୁଅ ଗଦାଧର ଦାସକୁ ଥାନାରେ ଅଟକ ରଖିଛି । ତେବେ ପୁଅ ଠାରୁ ତ୍ରାହି ପାଇବା ପାଇଁ ବାପା ମା କାନ୍ଦି କାନ୍ଦି ଅନୁରୋଧ କରିଛନ୍ତି ।






