ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ସ୍ବର୍ଗତ ଶ୍ରୀଧର ଖୁଣ୍ଟିଆ ଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି l ଅଧ୍ୟକ୍ଷା ସକିଲା ଜମାଲ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ଉପସ୍ଥିତ ଅଧ୍ୟାପକ ଓ କର୍ମଚାରୀ ମାନେ ସ୍ବର୍ଗତ ଖୁଣ୍ଟିଆ ଙ୍କ ସ୍ମୃତି ଚାରଣ କରି ତାଙ୍କ କାର୍ଯ୍ୟ ର ଉଚ୍ଚ ପ୍ରଶଂସା କରିଥିଲେ l ସ୍ବର୍ଗତ ଖୁଣ୍ଟିଆ ୧୯୫୮ ମସିହା ରେ ଖଣ୍ଡପଡା ର ବୋଦସା ଗ୍ରାମରେ ଜନ୍ମ ଲାଭ କରିଥିଲେ l ବୋଲଗଡସ୍ଥିତ ପରମାନନ୍ଦ ମହାବିଦ୍ୟାଳୟ ରେ ଶିକ୍ଷା ବିଭାଗ ର ଅଧ୍ୟାପକ ଭାବରେ କର୍ମମୟ ଜୀବନ ଆରମ୍ଭ କରି ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ରେ ପ୍ରଥମେ ପ୍ରାଧ୍ୟାପକ ଓ ପରେ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରି ୨୦୧୮ ମସିହା ରେ ଅବସର ଗ୍ରହଣ କରିଥିଲେ l ତାଙ୍କ ଅଧ୍ୟକ୍ଷତା କାଳରେ ମହାବିଦ୍ୟାଳୟ ର ଭିତିଭୂମିର ବିକାଶ, ନୂତନ ବିଷୟରେ ସମ୍ମାନ ଶ୍ରେଣୀ ଖୋଲିବା, ଛାତ୍ରୀ ମାନଙ୍କୁ ମାଗଣା କମ୍ପୁଟର ଶିକ୍ଷା ପ୍ରଦାନ ଆଦି ଉଲ୍ଲେଖନୀୟ କାର୍ଯ୍ୟ ହୋଇଥିଲା l ୨୦୧୬ ମସିହାରେ ନାକ ଦ୍ୱାରା ସ୍ୱୀକୃତି ମହାବିଦ୍ୟାଳୟ ପାଇଁ ସବୁଠାରୁ ଉଲ୍ଲେଖନିୟ ସଫଳତା ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ l ପ୍ରିୟ ପ୍ରାକ୍ତନ ଅଧ୍ୟକ୍ଷଙ୍କ ଅମର ଆତ୍ମାର ସଦଗତି ପାଈଁ ସମସ୍ତେ ନିରବ ପ୍ରାର୍ଥନା କରିଥିଲେ l ଏପରି ଦୁଃଖଦ ସ୍ଥିତି କୁ ସାମନା କରିବାପାଇଁ ଈଶ୍ୱର ତାଙ୍କ ପରିବାର ବର୍ଗଙ୍କୁ ଧର୍ଯ୍ୟ ଦିଅନ୍ତୁ କାମନା କରିଥିଲେ l





