ନୟାଗଡ, (ବାଘୁଆବାର୍ତ୍ତା) : ଖଣ୍ଡପଡ଼ା ବ୍ଳକ ଅଧିନ ରାଣୀଛେଲୀ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ନିକଟସ୍ଥ କ୍ୱାରେଟାଂଇନ କେନ୍ଦ୍ରରୁ ଗତ କିଛି ଦିନ ତଳେ ଏକ ବିଷଧର ସାପ ବାହାରିବା ଯୋଗୁଁ ସେଠାରେ ରହୁଥିବା ପ୍ରବାସୀମାନେ ଭୟଭୀତ ହୋଇଥିବା ବେଳେ ଏବେ ଖଣ୍ଡପଡା ସହରର ୧ନଂ ୱାର୍ଡ ଅଧିନ ପଠାଣିସାମନ୍ତ କଲ୍ୟାଣିମଣ୍ଡପ ପରିସରସ୍ଥିତ କ୍ୱାରେଟାଂଇନ କେନ୍ଦ୍ରରୁ ଗୁରୁବାର ସକାଳେ ଏକ ସାପ ବୁଲୁଥିବା ନେଇ ନଜରକୁ ଆସିଥିଲା । କଳା ରଙ୍ଗର ବିଷଧର ସାପଟିକୁ ଦେଖି ପ୍ରବାସୀମାନେ ହଠାତ୍ ଭୟଭୀତ ହୋଇପଡିଥିଲେ । ପରବର୍ତୀ ସମୟରେ ସେଠାରେ ରହୁଥିବା ରାତ୍ର ଜଗୁଆଳୀ ଓ ପ୍ରବାସୀମାନେ ମିଳିତ ହୋଇ ସାପଟିକୁ ଏକ ବାଡି ସହାୟତାରେ ବାଡେଇ ମାରି ଦେଇଥିବା ଜଣାପଡିଛି । ପ୍ରକାଶଥାଉକି ଖଣ୍ଡପଡା ଏନଏସି କାର୍ଯ୍ୟାଳୟ ପକ୍ଷରୁ କଲ୍ୟାଣ ମଣ୍ଡପ ପରିସରରେ ଚାଲିଥିବା କ୍ୱାରେଟାଂଇନ କେନ୍ଦ୍ରରେ ଶୈାଚାଳୟଠାରୁ ଆରମ୍ଭ କରି ବିଭିନ୍ନ ଅବ୍ୟବସ୍ଥାକୁ ନେଇ ସେଠାରେ ରହୁଥିବା ପ୍ରବାସୀମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ।





