ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ରଣପୁର ପଞ୍ଚାୟତ ସମିତିର ଷଷ୍ଠ ବୈଠକ ଆଜି ବ୍ଳକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢୀ ଏହି ବୈଠକରେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ପୁରୀ ସାଂସଦ ପ୍ରତିନିଧି ଆଇନଜିବୀ ପ୍ରିୟବ୍ରତ ପ୍ରହରାଜ, ବ୍ଳକ ଅଧକ୍ଷା ନିର୍ମଳା ବେହେରା, ଉପାଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରା, ମଣ୍ଡଳ ଉନ୍ନୟନ ଅଧିକାରୀ ମନୋଜ କୁମାର ନାୟକ, ଗୋପାଳପୁର ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ତରେଇ, ରଣପୁର ଜିଲ୍ଲା ପରିଷଦ ସଭ୍ୟା ରଜନୀରାଣୀ ପଟ୍ଟନାୟକ, ଚାନ୍ଦପୁର ଜିଲ୍ଲା ପରିଷଦ ସଭ୍ୟା ଜ୍ୟୋସ୍ନାରାଣୀ ପ୍ରଧାନ, ସହକାରୀ ଯନ୍ତ୍ରୀ ଜ୍ଞାନେନ୍ଦ୍ର ପାଢ଼ୀ, ପଞ୍ଚାୟତ ଅଧିକାରୀ ମୀନକେତନ ବେହେରା, ସମସ୍ତ ବ୍ଳକ ସ୍ତରୀୟ ଲାଇନ୍ ବିଭାଗୀୟ ଅଧିକାରୀ,ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଯୋଗ ଦେଇଥିଲେ।

ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀ ନାୟକ ବୈଠକ ର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ପ୍ରାକ୍ ସୂଚନା ଆଧାରରେ ମଣ୍ଡଳ ଉନ୍ନୟନ ଅଧିକାରୀ ନୂତନ ଭାବେ ଯୋଗ ଦେଇଥିବାରୁ ସମସ୍ତେ ପ୍ରଥମେ ପରିଚୟ ପ୍ରଦାନ କରିଥିଲେ। ବାଚସ୍ପତି ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ବାଚସ୍ପତି ପାଢୀ ଙ୍କ ପୈାରହିତ୍ୟ ରେ ବୈଠକ ଅନୁଷ୍ଠିତ ହୋଇଥିଲା। ପୂର୍ବ ବୈଠକ ର ବିବରଣୀ ପଠନ, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ବିକଶିତ ଗାଁ ବିକଶିତ ଓଡ଼ିଶା ଓ ସଭାପତି ଙ୍କ ଅନୁମୋଦନ କ୍ରମେ ବହୁ ଉନ୍ନତିମୂଳକ କାର୍ଯ୍ୟ ଓ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା।

ସର୍ବୋପରି ନୂତନ ସରକାର ଙ୍କ ଆଭିମୁଖ୍ୟ ରେ ପ୍ରାଧାନ୍ୟତା ଗ୍ରହଣ କରିଥିବା ଯୋଜନା ବିକଶିତ ଗାଁ ବିକଶିତ ଓଡ଼ିଶା ରେ ଆସିଥିବା ୩ କୋଟି ୫୬ ଲକ୍ଷ କିପରି ଭାବେ ୩୭ ଗ୍ରାମ ପଞ୍ଚାୟତ ରେ ବିନିଯୋଗ ହେବ ସେ ନେଇ ଏକ କମିଟି ଗଠନ ପ୍ରସ୍ତାବ ଗୃହୀତ ହୋଇଥିଲା। ବାଚସ୍ପତି ପାଢୀ ବିକଶିତ ଗାଁ ବିକଶିତ ଓଡ଼ିଶା ରେ ସମସ୍ତ ପ୍ରକଳ୍ପ ପାଇଁ ଅର୍ଥ ର ଅଭାବ ରହିବ ନାହିଁ ବୋଲି କହିଥିଲେ।ଜିଲ୍ଲା ପରିଷଦ ସଭାପତି ଇଂ ପଟ୍ଟନାୟକ ପଞ୍ଚାୟତିରାଜ ନିୟମ ପ୍ରତି ଧ୍ୟାନ ଦେବା ସହ ବିଭିନ୍ନ ସବ୍ କମିଟି ଗଠନ ଉପରେ ଗୁରୁତ୍ବ ଦେଇଥିଲେ।

ତତ୍ ସହିତ ପୂର୍ବରୁ ବିଭିନ୍ନ ଯୋଜନା ରେ ଆରମ୍ଭ ହୋଇ ବନ୍ଦ ହୋଇ ପଡିଥିବା ପ୍ରକଳ୍ପ ଗୁଡ଼ିକୁ ବିକଶିତ ଗାଁ ବିକଶିତ ଓଡ଼ିଶା ରେ ସ୍ଥାନିତ କରିବାକୁ କହିଥିଲେ।ଉପାଧ୍ୟକ୍ଷ ଦଳବେହେରା ରଣପୁର ବନାଞ୍ଚଳ ଖୋର୍ଦ୍ଧା ବନଖଣ୍ଡ ଅଧିନ ରୁ କାଟି ନୟାଗଡ଼ ବନଖଣ୍ଡ ରେ ସାମିଲ ପାଇଁ ବାଚସ୍ପତି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତତ୍ ସହିତ ରଣପୁର ବନାଞ୍ଚଳ ଅଧିକାରୀ ଆକ୍ରୋଶ ରଖି ବନ୍ଧମୁଣ୍ଡା ପୂର୍ବତନ ସରପଞ୍ଚ ଅଜୟ କୁମାର ପ୍ରଧାନ ଙ୍କୁ ଗିରଫ କରିବା ଓ ସମସ୍ୟା ସମାଧାନ ପାଇଁ ଯାଇଥିବା ବ୍ୟକ୍ତିମାନଙ୍କ ବିରୋଧରେ ଥାନା ରେ ମାମଲା ଦାୟର କରିବା ଘଟଣାକୁ ନେଇ ନିନ୍ଦା ପ୍ରସ୍ତାବ ଆଗତ କରିଥିଲେ। ମଣ୍ଡଳ ଉନ୍ନୟନ ଅଧିକାରୀ ମନୋଜ କୁମାର ନାୟକ ଙ୍କ ସୁଚନା ଅନୁଯାୟୀ ବନାଞ୍ଚଳ ଅଧିକାରୀ ଙ୍କ ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ ଗ୍ରହଣ କରାଯାଇଛି।





