କଟକସଦର, (ବାଘୁଆବାର୍ତ୍ତା): ୪ ବର୍ଷର ସାନ ଝିଅ ରାନି ମୁର୍ମୁ (ବେବି)ଙ୍କୁ ଶିଶୁରୋଗ ଡାକ୍ତର ବିକ୍ରମ ସାମଲଙ୍କୁ ଶୁକ୍ରବାର ଦିନ ୧୨ଟାରେ ଦେଖାଇବେ ବୋଲି ଟିକେଟ୍ (ସିରିଏଲ ନଂ-୭୫) କରିଥିଲେ ସୀତାରାମ । ହଠାତ୍ ଅଫିସ୍ରୁ ଫୋନ୍ ଆସିଥିଲା ତୁରନ୍ତ ଆସି କାର୍ୟ୍ୟରେ ଯୋଗ ଦିଅ । ଘରେ କହିକି ଗଲେ, ‘ମୁଁ ଯାଉଛି ଆସିଲେ ଝିଅକୁ ଡାକ୍ତରଙ୍କ ପାଖକୁ ଝିଅକୁ ନେଇକି ଯିବି ।’ ଯାଇଛନ୍ତି ଯେ ଆଉ ଫେରିଲେନି । ଏହା କହି କାନ୍ଦି କାନ୍ଦି ଗଡ଼ି ଯାଉଛନ୍ତି ଭଡାଘରେ ରହୁଥିବା ପତ୍ନୀ ଦାନଗୀ ମୁର୍ମୁ । ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଳକ୍ ଅନ୍ତର୍ଗତ ମୁଣ୍ଡାଝରୀ ଗ୍ରାମରେ ସୀତାରାମ ମୁର୍ମୁ(୩୭)ଙ୍କ ଜନ୍ମ । ୧୯୮୩ ଏପ୍ରିଲ୍ ୫ରେ ପିତା ଆହ୍ଲାଣ ମୁର୍ମୁ ଓ ମାତା ରାନି ମୁର୍ମୁଙ୍କ କୋଳ ମଣ୍ଡନ କରିଥିଲେ । ୨୦୦୨ ଏପ୍ରିଲ୍ ୧୯ରେ ଓଏମ୍ପିସ୍ଥିତ ୬ଷ୍ଠ ବାଟାଲିୟନରେ କାର୍ୟ୍ୟରେ ଯୋଗଦେଇଥିଲେ ସୀତାରାମ । ପରେ ଓଡ୍ରାଫ୍ରେ ସିପାହୀ ଭାବେ କାର୍ୟ୍ୟ କରି ଆସୁଥିଲେ । ଘରେ ପତ୍ନୀ ଦାନଗୀ ମୁର୍ମୁ (୩୨) । ଜ୍ୟେଷ୍ଠ ପୁତ୍ର ଆଲୋକ କୁମାର ମୁର୍ମୁ (ତପୁ) ୧୨ ବର୍ଷ ନୂଆବଜାରସ୍ଥିତ ସେଣ୍ଟ ଜାଭିୟର ସ୍କୁଲରେ ୬ଷ୍ଠ ଶ୍ରେଣୀରେ ପଢୁଥିବା ବେଳେ ସାନ ଝିଅ ରାନି ମୁର୍ମୁ (ବେବି, ୪ ବର୍ଷ) ସ୍କୁଲ ଯାଇ ନାହାନ୍ତି । ସୀତାରାମ ନିଜ ପରିବାର ସହିତ ଚାଉଳିଆଗଞ୍ଜସ୍ଥିତ ଅପର୍ଣ୍ଣାନଗରରେ ଅନ୍ନପୂର୍ଣ୍ଣା ପାଣିଗ୍ରାହୀଙ୍କ ଘରେ ଘର ଭଡା ନେଇ ରହୁଥିଲେ ।






