ଖଣ୍ଡପଡ଼ା,(ବାଘୁଆବାର୍ତ୍ତା): ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ସିଂଘାପଡ଼ା ଗ୍ରାମ ନିକଟରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ନୂତନ ପ୍ରାଣୀସହାୟକ କେନ୍ଦ୍ରଟି ଏବେ ଭୂତକୋଠି ପାଲଟିଥିବା ସାଧାରଣରେ ଅଭିଯୋଗ ହେଉଛି । ଉକ୍ତ କେନ୍ଦ୍ରଟି କାର୍ଯ୍ୟକ୍ଷମ ହେବାର ୨ ମାସ ପରେ ବିଭାଗୀୟ କର୍ତୃପକ୍ଷ କେନ୍ଦ୍ରଟିରେ ତାଲା ଝୁଲାଇ ଦେଇଥିବା ସିଂଘାପଡ଼ା ଓ ଗଡିଆସାହି ପଂଚାୟତବାସୀଙ୍କ ସୂତ୍ରରୁ ଜଣାପଡିଛି । ବିଭାଗୀୟ କର୍ତୃପକ୍ଷଙ୍କ ଉଦାସୀନତା ଯୋଗୁଁ ପ୍ରାଣୀସହାୟକ କେନ୍ଦ୍ରଟି ଅଂଚଳବାସୀଙ୍କ କାର୍ଯ୍ୟରେ ଆସୁନଥିବାରୁ ଏ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶପାଇଛି । ଅବ୍ୟବହୃତ ଓ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବା ଏହି ପ୍ରାଣୀସହାୟକ କେନ୍ଦ୍ରଟି ଏବେ ସରିସୃପଙ୍କ ଆଶ୍ରୟସ୍ଥଳୀ ପାଲଟିଥିବା ଅଭିଯୋଗ ହେଉଛି । ଅପରପକ୍ଷେ ବାରମ୍ବାର ଦାବି ସତ୍ୱେ ପ୍ରାଣୀସହାୟକ କେନ୍ଦ୍ରଟିକୁ କାର୍ଯ୍ୟକ୍ଷମ କରିବା ଦିଗରେ ବିଭାଗୀୟ କର୍ତୃପକ୍ଷ ନତୁବା ଉଚ୍ଚ କର୍ତୃପକ୍ଷ ଆଦୌ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହେଉଛି । ଫଳରେ ଉକ୍ତ କେନ୍ଦ୍ର ନିର୍ମାଣ ବାବଦରେ ରାଜ୍ୟ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିବା ସାର ହୋଇଛି । ଉକ୍ତ କେନ୍ଦ୍ରଟିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ନିମନ୍ତେ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।






