ନୟାଗଡ଼,(ବାଘୁଆବାର୍ତ୍ତା): ରାଜ୍ୟ ସରକାର ସିନ୍ଦୁରିଆ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଉନ୍ନତୀ କରଣ ପାଇଁ ବିଦ୍ୟାଳୟ ରୂପାନ୍ତରଣ ଯୋଜନାରେ ବହୁ ଅର୍ଥ ବ୍ୟୟ ବରାଦ କରିଥିଲେ । ଅନ୍ୟ ଅନୁଦାନକୁ ମିଶାଇ ପାଖାପାଖି ଏକ କୋଟି ଅର୍ଥ ମଞ୍ଜୁର ହୋଇଥିଲା । ଏହାର ରୂପାନ୍ତରଣ ତଥା ନିର୍ମାଣ ଦାୟିତ୍ୱରେ ନୟାଗଡ଼ ବ୍ଲକ୍ କନିଷ୍ଠ ଯନ୍ତ୍ରୀ ସୁମିତ୍ରା ନାୟକ ରହି ସବୁ କାର୍ୟ୍ୟ କରୁଥିଲେ । ଇତି ମଧ୍ୟରେ ଏକବର୍ଷରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ବିଦ୍ୟୁତ୍ଠାରୁ ଆରମ୍ଭକରି ଶ୍ରେଣୀ ଗୃହକୁ ସଂଯୋଗ ରାସ୍ତା ଏବଂ ମୁଖ୍ୟ ଫାଟକ ନିର୍ମାଣ ଇତ୍ୟାଦି ଅସମାପ୍ତ ଅବସ୍ଥାରେ ପଡ଼ିଛି । ଲକ୍ଷ ଲକ୍ଷ ଟଙ୍କାର କମ୍ପ୍ୟୁଟର ଓ ସ୍ମାର୍ଟବୋର୍ଡ ଲାଗିଥିବା ବେଳେ ଆର୍ଥିଂ ବ୍ୟବସ୍ଥା ନାହିଁ । କେତେବେଳେ ବିଜୁଳି ଘଡ଼ଘଡି ମାରି ଏସବୁ ପୋଡ଼ି ଯିବାର ସମ୍ଭାବନା ରହିଛି । ବିଦ୍ୟାଳୟ ହତା ଭିତରେ ମାଟି ପଡ଼ିବା ପାଇଁ ଯୋଜନା ହୋଇଥିବା ବେଳେ ଆଦୈା ମାଟି ପଡ଼ି ପାରିନାହିଁ । ଯଦ୍ୱାରା ବର୍ଷାଦିନେ ପାଣି ଜମି ରହି ପରିବେଶକୁ ସନ୍ତସନ୍ତିଆ ଓ କର୍ଦମାକ୍ତ କରି ରଖୁଛି । ଏଣେ ଶ୍ରେଣୀଗୃହକୁ ସଂଯୋଗ କରୁଥିବା ରାସ୍ତାରେ ମେଣ୍ଟାଲ୍ ଉଠି ଛାତ୍ରଛାତ୍ରୀ ପ୍ରତିଦିନ ଝୁଣ୍ଟିପଡ଼ି ଖଣ୍ଡିଆ ଖାବରା ହେଉଛନ୍ତି । ବିଦ୍ୟାଳୟ ପରିଚାଳନା କମିଟି ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ଏସବୁର ପ୍ରତିକାର ନିମନ୍ତେ ଲେଖି ଜଣାଇବା ସହିତ ଆଲେଚନା କରିଥିଲେ । କନିଷ୍ଠ ଯନ୍ତ୍ରୀ ଶ୍ରୀମତୀ ନାୟକ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ଦିନେ ଦୁଇଦିନ ଭିତରେ ରାସ୍ତା ଓ ଆର୍ଥିଙ୍ଗ କାମ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଏହା ମଧ୍ୟରେ ସପ୍ତାହେ ବିତି ଯାଇଥିଲେ ମଧ୍ୟ କାମ ଆରମ୍ଭ କରୁନଥିବା ଅଭିଯୋଗ ହୋଇଛି ।
ଯାହାକୁ ନେଇ ଗ୍ରାମବାସୀ, ଅଭିଭାବକ ଓ ଆଲୁମିନି ସଦସ୍ୟମାନେ ଗଭୀର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ଆଲୁମିନି ସଦସ୍ୟ ସରୋଜ ପଟ୍ଟନାୟକ, ଶେଖ୍ ମଜହର, ଅମଜାଦ୍ ଖାଁ, ସନ୍ତୋଷ ସାହୁ, କୁନା ସାହୁ ଓ ଲିଆକତ୍ ଅଲି ପ୍ରମୁଖ ଅସନ୍ତୋଷ ବ୍ୟକ୍ତ କରିବା ସହ ଦୁଇ ତିନି ଦିନ ଭିତରେ ଯଦି କାମ ଆରମ୍ଭ କରାନଯାଏ ତେବେ ବାଧ୍ୟହୋଇ ଦୁର୍ଗାପ୍ରସାଦ ଓ ସିନ୍ଦୁରିଆ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଜଣାଇଛନ୍ତି । ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ ଶିଶୁ ବାଟିକାଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ା ବ୍ୟବସ୍ଥା ରହିଥିବା ବେଳେ ୩ ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି । ନୟାଗଡ଼ ସହର ନିକଟସ୍ଥ ଏହି ବିଦ୍ୟାଳୟର ସମସ୍ୟାକୁ ଦୂରିଭୂତ କରାଯାଇପାରୁନଥିବା ବ୍ଲକ ପ୍ରଶାସନର ଦାୟିତ୍ୱ ହୀନତାକୁ ପଦାରେ ପକାଇଛି । ଏନେଇ କନିଷ୍ଠ ଯନ୍ତ୍ରୀ ଶ୍ରୀମତି ନାୟକଙ୍କୁ ପଚାରିବାରେ, ଯାହା ଅନୁଦାନ ଆସିଥିଲା କାମ ଶେଷ ହୋଇଛି । ନୂତନ ଅନୁଦାନ ଆସିବା ପରେ ବଳକା କାମ ହେବ ବୋଲି କହିଛନ୍ତି ।