ପୁରୀ,(ବାଘୁଆବାର୍ତ୍ତା): ରାଜ୍ୟ ସରକାର କୋଭିଡ୍ କଟକଣା କୋହଳ କରିବା ପରେ ମହାପ୍ରଭୁଙ୍କ ଦର୍ଶନ କଟକଣା କୋହଳ କରିଛି ଶ୍ରୀମନ୍ଦିର ପ୍ରଶାସନ। ପ୍ରତି ସପ୍ତାହରେ ଶନିବାର ଓ ରବିବାର ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହୁଥିଲା। ମନ୍ଦିର ପ୍ରଶାସନ ଶନିବାର କଟକଣାକୁ ହଟାଇ ଦେଇଛି। ଏବେ ସପ୍ତାହକୁ ୬ ଦିନ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। କେବଳ ରବିବାର ବିଶୋଧନ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ସେପଟେ ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନର ଅନୁମତି ଦେଇଛି ପ୍ରଶାସନ। ଆଗରୁ ଶ୍ରୀମନ୍ଦିର ଭିତରେ ଦୀପ, ଧୂପ ଲଗାଇବାରେ କଟକଣା ଲଗାଯାଇଥିଲା। ଆଜି ଏହି କଟକଣାକୁ ହଟାଇ ଦିଆଯାଇଛି। ଭିଡ଼କୁ ନଜରରେ ରଖି ସ୍ବତନ୍ତ୍ର ପର୍ବପର୍ବାଣୀରେ ଶ୍ରୀମନ୍ଦିର ବନ୍ଦ ରଖାଯାଇଛି। ଆଜି ଏ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ପରିବର୍ତ୍ତିତ ଏସ୍ଓପି ଜାରି ହୋଇଛି। ପରିବର୍ତ୍ତିତ ନିୟମ ଆସନ୍ତା ୧୩ ତାରିଖରୁ ଲାଗୁହେବ। ବୁଧବାର ମଧ୍ୟାହ୍ନରେ ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ସମେତ ସମସ୍ତ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ।






