ଓଡ଼ଗାଁ, (ବାଘୁଆବାର୍ତ୍ତା): ଆଜି ପବିତ୍ର ଭାଦ୍ରବ ମାସ ଶୁକ୍ଳ ପକ୍ଷ ପାଶ୍ୱର୍ ପରିବର୍ତନ ଏକାଦଶୀ ଯୁକ୍ତ ଦ୍ୱାଦଶୀ ତିଥିରେ ଶ୍ରୀରଘୁନାଥ ଜୀଉଙ୍କ ପୀଠରେ ଏକାଦଶୀ, ବାମନ ଜନ୍ମ ତଥା ସୁନିଆଁ ପର୍ବ ଯଥା ବିଧି ବିଧାନ ପୂର୍ବକ ପାଳିତ ହୋଇଯାଇଛି । ଗଜପତି ରାଜାଙ୍କ ରାଜତ୍ୱ ଅଙ୍କ ବର୍ଷ ଗଣନାର ଏହା ପ୍ରଥମ ଦିବସ । ଶ୍ରୀରଘୁନାଥ ଜିଉଙ୍କୁ ଆଜିର ଦିନରେ ସୁନା ଥାଳିରେ ଭୋଗ ଲାଗି କରାଯାଇଛି । ଆଜି ସକାଳ ନିତି ସରିବା ପରେ ଶ୍ରୀଜିଉମାନଙ୍କୁ ଶ୍ରଦ୍ଧାଳୁମାନେ ଦର୍ଶନ କରିବା ବ୍ୟବସ୍ଥା ରହିଥିଲେ ସୁଧା କୋଭିଡ-୧୯ କଟକଣା କାରଣରୁ ଶ୍ରଦ୍ଧାଳୁମାନେ ଦର୍ଶନରୁ ବଂଚିତ ହୋଇଥିଲେ । ମଧ୍ୟାହ୍ନ ୧୨ ଟାରେ ସୁନିଆଁ ନୀତି ଆରମ୍ଭ ହୋଇଥିଲା । ଆଜ୍ଞାମାଳ ପାଇ ପାଟପତନୀ ବେଷ୍ଟିତ ବନାରସୀ ଖଟୁଲିରେ ଶ୍ରୀରଘୁନାଥ ଓ ମାତା ସୀତାଙ୍କ ସହିତ ଅନୁଜ ଲକ୍ଷ୍ମଣଙ୍କ ବିଜେ ପ୍ରତିମାଙ୍କୁ ସୁନିଆ ନିତୀ ଲାଗି ଜୟ ବିଜୟ ଦ୍ୱାରରେ ବିଜେ କରାଯାଇଥିଲା । ତିନୋଟି ସୁବର୍ଣ୍ଣ ଥାଳିରେ ତିନିବାଡ଼ କାକରା ବଢ଼ାଯାଇ ନୀତିକାନ୍ତି ଅନୁସାରେ ଷୋଡଶ ଉପଚାରରେ ପୂଜାବିଦ୍ଧି ସମ୍ପର୍ଣ୍ଣ କରି ନୈବେଦ୍ୟ ଅର୍ପଣ କରାଯାଇଥିଲା । ଏହି ସମୟରେ ଘଂଟ ଘଂଟା, ବିଜେ କାହାଳୀ, ଛତି, ତ୍ରାସ ଓ ପତାକା ଶେବା କରାଯାଇଥିଲା । ବନ୍ଦାପନା-ଆଳତୀ ପରେ ପରଂପରା ଅନୁଯାୟୀ ଉପସ୍ଥିତ ମନ୍ଦିରର ସମସ୍ତ କର୍ମକର୍ତା ପୂଜାପଣ୍ଡା, ସୁଆର, ସେବାସୀ ଠାକୁରଙ୍କୁ ସୁନିଆ ଭେଟି ପ୍ରଦାନ କରିଥିଲେ । ପରେ ଶ୍ରୀଜୀଉମାନେ ରତ୍ନସିଂହାସନକୁ ବିଜେ ହୋଇଥିଲେ ।






