ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସ୍ଥାନୀୟ ନାଗେଶ୍ୱର ଟାଙ୍ଗି ଅଞ୍ଚଳରେ ଥିବା ଏକ କୋଠା ବାହାରେ ଫଳକ ଲାଗିଥିଲା ‘ସାଇ ସେବା ଟ୍ରଷ୍ଟ’ । ହେଲେ ଭିତରେ ଚାଲିଥିଲା ଦେହ ବ୍ୟବସାୟ । ଶ୍ରୀଲିଙ୍ଗରାଜ ଥାନା ପୁଲିସ୍ ଚଢ଼ଉ କରି ଦଲାଲ ନରେଶ କୁମାର ରଣା, ଗ୍ରାହକ ରାଜ୍ କିଶୋର ସହୁ ଓ ସୁଶାନ୍ତ ପ୍ରଧାନକୁ ଗିରଫ କରିବା ସହ ରୂପଜୀବୀଙ୍କୁ ଧରିଛି । ସେମାନଙ୍କ ଠାରୁ ୭ଟି ମୋବାଇଲ, ୩ଟି ବାଇକ୍, ୭ ହଜାର ଟଙ୍କା ଓ କଣ୍ଡୋମ ଜବତ କରିଛି ପୁଲିସ୍ । ଗିରଫ ଅଭିଯୁକ୍ତମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ୍ କହିଛି । ନାଗେଶ୍ୱରଟାଙ୍ଗୀରେ ଥିବା ଏହି ତଥାକଥିତ ସାଇ ସେବା ଟ୍ରଷ୍ଟ ଘରେ ଦୀର୍ଘ ଦିନ ହେବ ସେକ୍ସ ର୍ୟାକେଟ୍ ଚାଲୁଥିଲା । ନରେଶ ପଶ୍ଚିମବଙ୍ଗରୁ ଯୁବତୀ ଆଣି ଏଠାରେ ବେପାର କରୁଥିଲା । ଗ୍ରାହକ ପିଛା ୧ ହଜାର ଟଙ୍କାରୁ ଆରମ୍ଭ କରି ସାଢ଼େ ୩ ହଜାର ଟଙ୍କା ପର୍ୟ୍ୟନ୍ତ ଦର ନେଉଥିଲା । ଏହାଛଡ଼ା ଗ୍ରାହକଙ୍କୁ ହୋମ୍ ଡେଲିଭରୀ ମଧ୍ୟ ଦେଉଥିଲା ଦଲାଲ ନରେଶ । ଦୁଇ ମହଲା ବିଶିଷ୍ଟ ଏହି ଘରେ ପ୍ରତିଦିନ ଦାମୀ ଗାଡ଼ି ଲାଗିବା ସହ ଭିଡ଼ ମଧ୍ୟ ରହୁଥିଲା । ବିଳମ୍ବିତ ରାତି ପର୍ୟ୍ୟନ୍ତ ଜମୁଥିଲା ଆଡ୍ଡା । ଏ ବିଷୟରେ ପୁଲିସ୍ ପାଖରେ କିଛି ଖବର ନଥିଲା । ସ୍ଥାନୀୟ ଲୋକ ଏ ବିଷୟରେ ଜାଣିବା ପରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ୍କୁ କହିଥିଲେ । ତଥାପି ପୁଲିସ୍ ସବୁ ଶୁଣି ଚୁପ୍ ରହିଥିଲା । ଗତ ସପ୍ତାହରେ କିଛି ବରିଷ୍ଠ ନାଗରିକ ଡିସିପି ପ୍ରତୀପ ମୀନା ସିଂହଙ୍କୁ ଭେଟି ଘଟଣା ବିଷୟରେ ଜଣାଇଥିଲେ । ଡିସିପିଙ୍କ ନିର୍ଦ୍ଦେଶ ପରେ ଗୁରୁବାର ଅପରାହ୍ଣ ୫ଟା ବେଳେ ଶ୍ରୀଲିଙ୍ଗରାଜ ଥାନା ପୁଲିସ୍ ‘ସାଇ ସେବା ଟ୍ରଷ୍ଟ ନାମକ ଉକ୍ତ ଘରେ ଚଢ଼ଉ କରିଥିଲା । ଏହି ସମୟରେ ଦଲାଲ ନରେଶକୁ ପ୍ରଥମେ ପୁଲିସ୍ ଧରିଥିଲା । ତା’ପରେ ଏକ ରୁମ୍ ଭିତରୁ ଅସଞ୍ଜତ ଅବସ୍ଥାରେ ଗ୍ରାହକ ଓ ରୁପଜୀବୀଙ୍କୁ ଧରିଥିଲା । ଉକ୍ତ ଘରୁ ବହୁ ପରିମାଣର ବ୍ୟବହୃତ ଓ ଅବ୍ୟବହୃତ କଣ୍ଡୋମ ସହ କିଛି ଆପତ୍ତିଜନକ ଜିନିଷ ଜବତ କରିଥିଲା । ଏମାନଙ୍କ ସହ ଆଉ କାହାର ସମ୍ପର୍କ ରହିଛି ତାହା ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି ।





