ସମ୍ବଲପୁର, (ବାଘୁଆବାର୍ତ୍ତା): ହୀରାକୁଦ ସହର ମହାନଗର ନିଗମରରେ ସାମିଲ ହେବା ପର ଠାରୁ ଦିନକୁ ଦିନ ଅବ୍ୟବସ୍ଥା ବଢିଚାଲିଛି । ରାସ୍ତାଘାଟ ପାନୀୟ ସମସ୍ୟା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସେବାରେ ମଧ୍ୟ ବ୍ୟତିକ୍ରମ ଦେଖା ଦେଇଛି । ହୀରାକୁଦ ଡାକ୍ତରଖାନା ଉପରେ ହୀରାକୁଦ ସହର ତଥା ଆଖପାଖର ଅନେକ ଗାଁ ଲୋକ ନିର୍ଭର କରନ୍ତି । ବର୍ତ୍ତମାନ ପଞ୍ଜୀକରଣ କେନ୍ଦ୍ରରେ ରୋଗୀଙ୍କର ପଞ୍ଜୀକରଣ କାର୍ୟ୍ୟ ଏକ ସିକ୍ୟୁରିଟି ଗାର୍ଡଙ୍କୁ ଦିଆଯିବା ବେଳେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଚରମ ଅବହେଳାକୁ ଦର୍ଶାଉଛି । ହୀରାକୁଦ ସରକାରୀ ଡାକ୍ତରଖାନାରେ କର୍ମଚାରୀଙ୍କ ଅଭାବରୁ ଏବେ ଡାକ୍ତରଖାନାକୁ ଆସୁଥିବା ରୋଗୀମାନଙ୍କ ପଞ୍ଜୀକରଣ ସେଠାରେ ନିୟୋଜିତ ଠିକା ସଂସ୍ଥାର ଏକ ସିକ୍ୟୁରିଟି ଗାର୍ଡ କରୁଛନ୍ତି । ଦିନେ କି ଦୁଇ ଦିନ ନୁହେଁ ପ୍ରତିଦିନ ଏଠାରେ ଏପରି କାମ ଚାଲିଛି । ଏଥିସହ ଏଠାରେ ଡାକ୍ତରମାନେ ମଧ୍ୟ ଠିକ ସମୟରେ ଆସୁ ନାହାନ୍ତି । ଫଳରେ ରୋଗୀ ଏଠାକୁ ଆସି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିସହ ଡାକ୍ତରଖାନାରେ ଔଷଧ ନଥିବା କହି ଗରିବ ଲୋକଙ୍କୁ ଔଷଧ ବାହାରୁ କିଣିବା ପାଇଁ କୁହାଯାଉଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି ।






