ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଚିଲିକା ଉପରେ ନିର୍ଭର କରୁଥିବା ମତ୍ସ୍ୟଜୀବୀମାନଙ୍କୁ ଡଙ୍ଗା, ଜାଲ ଏବଂ ଡଙ୍ଗା ଇଞ୍ଜିନ ଯୋଗାଇଦେବାଠୁ ଆରମ୍ଭ କରି ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ୧୮୬ଟି ମତ୍ସ୍ୟ ପ୍ରାଥମିକ ସମବାୟ ସମିତି ଅନ୍ତର୍ଗତ ମତ୍ସ୍ୟଜୀବୀମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାରେ ଅନ୍ତର୍ଭୁକ୍ତ କରାଇବା ନେଇ ଲୋକସେବା ଭବନଠାରେ ଅନୁଷ୍ଠିତ ବୈଠକରେ ଗୁରୁତ୍ୱ ଦିଆଯାଇଛି । ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଂଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ମାଧ୍ୟମରେ ସବ୍ସିଡି ଜରିଆରେ ନେଟ୍, ବୋଟ ଓ ମୋଟରଚାଳିତ ଡଙ୍ଗା ପାଇଁ ଇଞ୍ଜିନ ଉପଲବ୍ଧ କରାଯିବା ସହିତ ସାତପଡ଼ାଠାରେ ଏକ ଡିଜେଲ ଆଉଟ୍ଲେଟ୍, ବରଫ ଫ୍ୟାକଫି୍ର ଶୀତଳ ଭଣ୍ଡାର ଓ ଏକ ମତ୍ସ୍ୟ ଅବତରଣ କେନ୍ଦ୍ର ପ୍ରତିଷ୍ଠା ଉପରେ ବ୍ୟାପକ ଆଲୋଚନା ହୋଇଥିଲା । ଏହି ଆଲୋଚନା ମଧ୍ୟରେ ସାତପଡ଼ାରେ ମତ୍ସ୍ୟବିଭାଗ ପକ୍ଷରୁ ମାର୍କେଟ୍ ୟାର୍ଡ ପ୍ରତିଷ୍ଠା ଏବଂ ଅରଖକୁଦାଠାରେ ଏକ ଉନ୍ନତ ମାନର ମତ୍ସ୍ୟ ଅବତରଣ କେନ୍ଦ୍ର ଓ ଜେଟି ପ୍ରତିଷ୍ଠା ଉପରେ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ୮ କୋଟି ଟଙ୍କା ଯୋଗାଇଦେବାକୁ ନିଷ୍ପତ୍ତି କରାଯାଇଛି । ୧୮୬ଟି ମତ୍ସ୍ୟ ପ୍ରାଥମିକ ସମିତି ଅନ୍ତର୍ଗତ ସମସ୍ତ ସଦସ୍ୟମାନେ ନିଜସ୍ୱ ଡଙ୍ଗା ମେସିନ ଏବଂ ନେଟ ପାଇଁ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମାଧ୍ୟମରେ ଯୋଗାଇଦେବାକୁ ସରକାର ଖୁବ୍ ଶୀଘ୍ର ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଆଜି ବୈଠକରେ ଚିଲିକାର ସୁରକ୍ଷା, ମତ୍ସ୍ୟସଂପଦର ବିକାଶ, ଚିଲିକାକୁ ଜୁଭେଲାଇନ୍ ଅନୁକୂଳ ରଖିବା ପାଇଁ ଏନ୍ଫୋର୍ସମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି । ଖୁବ୍ଶୀଘ୍ର ସାତପଡ଼ାଠାରେ ଏ ସଂପର୍କରେ ବିଭିନ୍ନ ମତ୍ସ୍ୟଜୀବୀ ସଂଗଠନର ମତ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ମତ୍ସ୍ୟଜୀବଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ଲୋକଭିମୁଖୀ ଯୋଜନା ସଂପର୍କରେ ସଚେତନ କରିବାକୁ ଏକ ବୈଠକ କରାଯିବାକୁ ନିଷ୍ପତ୍ତି କରାଯାଇଛି । ଏହି ବୈଠକରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର କମିଶନ ତଥା ଶାସନ ସଚିବ ଆର୍. ରଘୁପ୍ରସାଦ, ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନ, ଅତିରିକ୍ତ ନିର୍ଦ୍ଦେଶକ ଦୋବନନ୍ଦ ଭଞ୍ଜ, ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ଉପଶାସନ ସଚିବ ଅଭୟ କୁମାର ମହାନ୍ତି, ପୂର୍ବତନ କେନ୍ଦ୍ରୀୟ ମତ୍ସ୍ୟ ସମବାୟ ସମିତି ସଭାପତି କେଦାରନାଥ ଜେନା, ବ୍ରହ୍ମପୁର ପଞ୍ଚାୟତ ସମିତି ସଦସ୍ୟ ରଘୁନାଥ ଜେନା ଓ ମତ୍ସ୍ୟଜୀବୀ ନେତା ଫାଲଗୁନି ଜାଲି ପ୍ରମୁଖ ଉପସ୍ଥିତ ଥିଲେ ।





