ଗଣିଆ, ସାତକୋଶିଆ ବ୍ୟାଘ୍ର ସଂରକ୍ଷଣାଚଂଳ ଅଭୟାରଣ୍ୟର ମଙ୍ଗାନାସୀଠାରେ ଗତ ୨୦୧୫ ମସିହାଠାରୁ ଖୋଲାଯାଇଥିବା ପ୍ରାକୃତିକ ପରିବେଶ ପର୍ଯ୍ୟଟ୍ଟନ କେନ୍ଦ୍ରକୁ ପ୍ରତିବର୍ଷ ବହୁ ଦେଶୀୟ ଓ ବିଦେଶୀ ପର୍ଯ୍ୟଟ୍ଟକଙ୍କ ସୁଅ ଛୁଟିବାରେ ଲାଗିଛି । ଏହି ପର୍ଯ୍ୟଟ୍ଟନ କେନ୍ଦ୍ରର ପରିଚାଳନା ପାଇଁ ବିଭାଗ ତରଫରୁ ସ୍ଥାନୀୟ ଇକୋ ଭିଲେଜ ମୁଦୁଲିଗାଡିଆର ମା ସାତଭଉଣୀ ପରିବେଶ ବିକାଶ ସମିତିକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ଗତ ୫ ବର୍ଷ ଧରି ଏହି ସମିତିର ସଭ୍ୟାସଭ୍ୟମାନେ ପର୍ଯ୍ୟଟ୍ଟନ କେନ୍ଦ୍ରରେ କାର୍ଯ୍ୟ କରି ସେମାନେ ନିଜର ପରିବାର ପ୍ରତିପୋଷଣ କରିବା ସହ ଆର୍ଥିକ ଅବସ୍ଥାରେ ସୁଧାର ଆଣିପାରିଛନ୍ତି । ତେବେ ସମିତିର ସଭ୍ୟା ସଭ୍ୟମାନେ କିଭଳି ଭାବରେ ପର୍ଯ୍ୟଟ୍ଟନ କେନ୍ଦ୍ରକୁ ପରିଚାଳନା କରିବା ସହ ଦେଶ ଓ ବିଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ସେ ସମ୍ପର୍କରେ ଜାଣିବା ପାଇଁ ଗତ ରବିବାର ୟୁରୋପିଆନ କମିଶନଙ୍କ ସହାୟତାରେ ବୋକୋଟୋ ଅନୁଷ୍ଠାନରୁ ୪ଜଣିଆ ଏକ ବିଦେଶୀ ଟିମ୍ ଏହି ପର୍ଯ୍ୟଟ୍ଟନ କେନ୍ଦ୍ରରେ ପହଚିଂଥିଲେ । ଏହି ଚାରିଜଣିଆ ଟିମ୍ ମଧ୍ୟରେ ଇଟାଲିରୁ ଫ୍ରୁସ ତୋ ଆମିକୋ ଓ ସୋଫି, ସ୍ପେନରୁ ରାମନ୍, କେନିଆରୁ ବାରିଲ୍ ସେମୋ ଥିବାବେଳେ ଭାରତରୁ ଓଡିଶାର ପ୍ରଦୀପ କୁମାର ଦିଗାଲ ଏମାନଙ୍କ ସହ ସାମିଲ ଥିଲେ । ରିସର୍ଚ୍ଚ ପାଇଁ ଆସିଥିବା ଏହି ବିଦେଶୀ ଟିମ୍ ସେମାନଙ୍କର ଗୋଟିଏ ଦିନର ରହଣି ମଧ୍ୟରେ ପରିଚାଳନା କମିଟିର ସଭାପତି , ସମ୍ପାଦକ ଓ ସଭ୍ୟାସଭ୍ୟମାନଙ୍କ ସହ ପର୍ଯ୍ୟଟ୍ଟନ କେନ୍ଦ୍ର ପରିଚାଳନା ସମ୍ପର୍କରେ ସବିଶେଷ ତଥ୍ୟ ପଚାରି ବୁଝିଥିଲେ । ତେବେ ଏହି ଟିମ୍ ଭିଏତନାମ, ନେପାଳ ଓ ଭାରତ ପରି ୭ଟି ଦେଶରେ ଥିବା ବିଭିନ୍ନ ପର୍ଯ୍ୟଟ୍ଟନ କେନ୍ଦ୍ର ବୁଲି ରିସର୍ଚ୍ଚ କରୁଥିବା ଜଣାପଡିଛି । ଗୋଟିଏ ଦିନର ରହଣି ମଧ୍ୟରେ ପ୍ରକୃତିକ ପରିବେଶ ଭରା ଏହି ପର୍ଯ୍ୟଟ୍ଟନ କେନ୍ଦ୍ରଟି ମନକୁ ବେଶ ଛୁଇଁପାରିଥିଲା ବୋଲି ସେ ପ୍ରକାଶ କରିଥିଲେ ।





