ନୟାଗଡ଼, (ବାଘୁଆବାର୍ତ୍ତା) : କୋଣାର୍କ ରାମଚଣ୍ଡୀ ବେଳାଭୂମିରେ ଗୁଜୁରାଟର ରନ୍ ମହୋତ୍ସବ ଢାଞ୍ଚାରେ ୨୦୧୯ ଡିସେମ୍ବର ୧୫ ତାରିଖରୁ ଫ୍ରେବୃୟାରୀ ୧୫ ତାରିଖ ପର୍ଯ୍ୟନ୍ତ ଇକୋ ରିଟ୍ରିଟ୍ ଉତ୍ସବ ଆୟୋଜିତ ହୋଇଥିବା ବେଳେ ଏହା ପର୍ଯ୍ୟଟକଙ୍କ ଦ୍ୱାରା ବେଶ୍ ଆଦୃତ ହୋଇଥିଲା । ଜଳକ୍ରିଡ଼ା ସାଙ୍ଗକୁ ନୃତ୍ୟ ଗୀତରେ ମଜ୍ଜି ଯାଉଥିଲେ ପର୍ଯ୍ୟଟକ । କୋଣାର୍କ ମେରାଇନ ଡ୍ରାଇଭରେ ପ୍ରଥମ ଥର ଆୟୋଜନ ହୋଇଥିବା ଏହି ଉତ୍ସବରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥିଲା । ତେବେ ଏବେ କେବଳ କୋଣାର୍କ ମେରାଇନ ଡ୍ରାଇଭରେ ନୁହେଁ ରାଜ୍ୟର ୫ଟି ସ୍ଥାନରେ ଇକୋ ରିଟ୍ରିଟ୍ ଉତ୍ସବ ଆୟୋଜନ କରିବାକୁ ଅଣ୍ଟା ଭିଡ଼ିଛି ରାଜ୍ୟ ପର୍ଯ୍ୟଟନ ବିଭାଗ । ସେଥିମଧ୍ୟରୁ ନୟାଗଡ ଜିଲ୍ଲା ଗଣିଆ ବ୍ଲକ ସାତକୋଶିଆ ସ୍ୟାଣ୍ଡ ରିସର୍ଟରେ ଏହି ଉତ୍ସବ ହେବା ପାଇଁ ସ୍ଥିର ହୋଇଥିôବା ଜଣାପଡିଛି । ଡିସେମ୍ବର ୧ ତାରିଖ ଠାରୁ ଆରମ୍ଭ ହୋଇ ଫେବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ଏହା ଆୟୋଜନ ହେବା ନେଇ ପର୍ଯ୍ୟଟନ ବିଭାଗ ପରିକଳ୍ପନା କରିଛି । କରୋନା ଗାଇଡ୍ ଲାଇନ ଅନୁସାରେ ଜରୁରୀକାଳୀନ ଗାଡି, ଡାକ୍ତରୀ ସୁବିଧା, ପୃଥକବାସ ଘର, ରାପିଡ୍ ଟେଷ୍ଠିଂ ସୁବିଧା ଆଦି ଯୋଗାଇ ଦିଆଯିବ ବୋଲି ଜଣାଯାଇଛ । ଏଜେନ୍ସି ଜରିଆରେ ଉକ୍ତ ସ୍ଥାନର ଉନ୍ନତିକରଣ, ପରିଚାରଳନା, ପ୍ରଚାର ପ୍ରସାର ଆଦି ସମ୍ପାଦିତ ହେବ । ସେଠାରେ ୨୫ଟି ଡିଲକ୍ସ ସ୍ୱିସ୍ କଟେଜ ରହିବ । ରାଇଫଲ ସୁଟିଂ, ଆର୍ଚେରି, ମାଉଣ୍ଟେନ ବାଇକ୍ସ, ବିଚ୍ ଭଲିବଲ୍, ବାନାନା ରାଇଡସ, ସ୍ପିଡ୍ ବୋଟସର ସୁବିଧା ମଧ୍ୟ ହେବ । ପର୍ଯ୍ୟଟନ ବିଭାଗ ତରଫରୁ ଏ ନେଇ ସୂଚନା ପ୍ରଦାନ କରାଯାଇଥିବା ଜଣାପଡିଛି । ମହାନଦୀରେ ପାଣି କମିବା ପରେ ବୃତ୍ତଙ୍ଗ କିମ୍ବା ବେଠିଆସାହି ଖଳଖଳା ନାଳ ପାଖରେ ଏହି ଉତ୍ସବ ଆୟୋଜନ କରିବାକୁ ମହାନଦୀ ବନ୍ୟପ୍ରାଣୀ ଡିଭିଜନ ସ୍ଥିର କରିଥିବା ଜଣାଯାଇଛି । ସାତକୋଶିଆ ସ୍ୟାଣ୍ଡ ରିସର୍ଟ ପର୍ଯ୍ୟଟକଙ୍କରର ପ୍ରଥମ ପସନ୍ଦ ପାଲଟିଥିବା ବେଳେ ଗଣିଆରେ ଇକୋ ରିଟ୍ରିଟ୍ ଉତ୍ସବ ଆୟୋଜନ କରାଗଲେ ଏହା ପର୍ଯ୍ୟଟକଙ୍କ ମଧ୍ୟରେ ଆଦୃତ ହେବା ସହିତ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି ।





