ଶରଣକୁଳ, (ବାଘୁଆବାର୍ତ୍ତା): ଲଡୁକେଶ ଆଥଲେଟିକ୍ ଆସୋସିଏସନ ଶରଣକୁଳ ପକ୍ଷରୁ ସରକାରୀ ନାରାୟଣ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଆୟୋଜିତ ୬୨ ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସ ଖେଳ ଏ.ଜି.ରିଜ୍ରେସନ କ୍ଲବ, ଭୁବନେଶ୍ୱର ସହିତ ସାଇହାଲ, ସୁନାବେଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଏ.ଜି. ରିଜ୍ରେସନ କ୍ଲବ ଭୁବନେଶ୍ୱର ୧-୦ ଗୋଲରେ ସାଇ ହାଇ ସୁନାବେଡ଼ାକୁ ପରାସ୍ତ କରି ବିଜୟୀ ହୋଇଛି । ଖେଳର ପ୍ରଥମାର୍ଦ୍ଧ ଅତ୍ୟନ୍ତ ଚିତାକର୍ଷକ ଓ ସଂଘର୍ଷ ପୂର୍ଣ୍ଣ ହୋଇଥିବାବେଳେ କୌଣସି ଦଳ ଗୋଲ ଷ୍କୋର କରିବାରେ ସକ୍ଷମ ହୋଇନଥିଲେ । ସେହିପରି ଦ୍ୱିତୀୟାର୍ଦ୍ଧ ଖେଳର ୨୧ ମିନିଟ୍ରେ ସାଇହାଲର ଗୋଲ କିପର ଡି ଏରିଆ ବାହାରେ ବଲକୁ ହାତରେ ଧରିଥିବା ଯୋଗୁଁ ରେଫରୀଙ୍କ ଏରିଆ ସୁଟ୍ ନିଷ୍ପତି ସୁଯୋଗକୁ ଏ.ଜି.ରିଜ୍ରେସନ କ୍ଲବ, ଭୁବନେଶ୍ୱର ଦଳ ହାତଛଡ଼ା ନକରି ଗୋଲ କିପର ୪୫ ନଂ ଜର୍ସି ଅର୍ପଣ ଲାକ୍ରା ଏରିଆ ସୁଟ୍କୁ ଷ୍କୋର କରି ଦଳ ପାଇଁ ପ୍ରଥମ ଗୋଲ କରିଥିଲେ ।
ସାଇ ହାଲ ସୁନାବେଡ଼ା ଦଳ ବରାବର ସ୍ଥିତିକୁ ଆଣିବା ନିମନ୍ତେ ଲଗାତର ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା । ଆଜିର ଖେଳରେ ଅତିଥି ରୂପେ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରବିନ୍ଦ୍ର କୁମାର ସାହୁ, ବଜାଜ ଅଟୋ ମୋବାଇଲ, ପ୍ରୋପାଇଟର ମନସୁର୍ ବକ୍ସ ଏବଂ ଶରଣକୁଳ ଏସଡିପିଓ ସୁଧାକର ସାହୁ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏ.ଜି. ରିଜ୍ରେସନ କ୍ଲବ ଭୁବନେଶ୍ୱର ଦଳର ୪୫ ନଂ ଜର୍ସି ଅର୍ପଣ ଲାକ୍ରାଙ୍କୁ ଶ୍ରେଷ୍ଠ ଖେଳାଳୀ ଭାବେ ଟ୍ରଫି ସହ ପୁରଷ୍କାର ରାଶି ପ୍ରଦାନ କରାଯାଇଥିଲା । ଆଜିର ମ୍ୟାଚକୁ ଜ୍ୟୋତି ରଞ୍ଜନ ସ୍ୱାଇଁ ପରିଚାଳନା କରିଥିବାବେଳେ ଅଶୋକ କଅଁର, ସଚ୍ଚିକାନ୍ତ ଦାସିଆ, ପ୍ରସନ୍ନ ନାୟକ ଲାଇନରେ ସହାୟତା କରିଥିଲେ । ଆସନ୍ତା କାଲିର ପ୍ରଥମ ସେମିଫାଇନାଲ ଖେଳ ଜଗା ୟୁନାଇଟେଡ, ଭୁବନେଶ୍ୱର ବନାମ ୟୁନାଇଟେଡ ସ୍ପୋର୍ଟ୍ସ କ୍ଲବ, ବରଗଡ଼ ମଧ୍ୟରେ ଅନୁଷ୍ଠିତ ହେବ ।






