ନୟାଗଡ଼, (ବାଘୁଆବାର୍ତ୍ତା): ଲଡୁକେଶ ଆଥଲେଟିକ୍ ଆସୋସିଏସନ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ପକ୍ଷରୁ ଆଜି ତୃତୀୟ ଦିବସରେ ୟୁନାଇଟେଡ ସ୍ପୋର୍ଟସ କ୍ଲବ ବରଗଡ଼ ସହିତ ଡାଇମଣ୍ଡ ଏଫସି ବାଲଘାଟ ମଧ୍ୟପ୍ରଦେଶ ମଧ୍ୟରେ ଫୁଟବଲ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ୟୁନାଇଟେଡ ସ୍ପୋର୍ଟସ କ୍ଲବ ବରଗଡ଼ ୬-୧ ଗୋଲରେ ଡାଇମଣ୍ଡ ଏଫସି ବାଲଘାଟ ମଧ୍ୟପ୍ରଦେଶକୁ ପରାସ୍ତ କରି ବିଜୟୀ ହୋଇଛି । ଖେଳର ପ୍ରଥମାର୍ଦ୍ଧ ଅତ୍ୟନ୍ତ ଚିତାକର୍ଷକ ଓ ସଂଘର୍ଷ ପୂର୍ଣ୍ଣ ହୋଇଥିବା ବେଳେ ୧୭ ମିନିଟ୍ରେ ୟୁନାଇଟେଡ ସ୍ପୋର୍ଟସ କ୍ଲବ ବରଗଡ଼ ଦଳର ୧୧ ନଂ ଜର୍ସି ଦୀପକ ମୁଣ୍ଡା ଦ୍ୱିତୀୟ ଗୋଲ ସ୍କୋର କରି ଦଳକୁ ଆଗୁଆ ରହିଥିଲେ । ସେହିପରି ଦ୍ୱିତୀୟାର୍ଦ୍ଧ ଖେଳର ୨ ମିନିଟ୍ ପରେ ବରଗଡ଼ ଦଳର ୧୦ ନଂ ଜର୍ସି ଆକାଶ ବେକ ଦଳ ପାଇଁ ତୃତୀୟ ଗୋଲ ସ୍କୋର କରିଥିଲେ । ଏହାର ପ୍ରତି ଜବାବରେ ୪୧ ତମ ମିନିଟରେ ଡାଇମଣ୍ଡ ଏପସି ବାଲଘାଟ ମଧ୍ୟପ୍ରଦେଶ ଦଳର ୮ ନଂ ଜର୍ସି ଜ୍ୟୋତ୍ସ୍ନା ଦଳ ପାଇଁ ପ୍ରଥମ ଗୋଲ ସ୍କୋର କରିଥିଲେ ।
ପରେ ଖେଳର ୪୨ ତମ ମିନିଟରେ ବରଗଡ଼ ଦଳର ୭ ନଂ ଜର୍ସି ବିବେକ ବେକ ଦଳ ପାଇଁ ଚତୁର୍ଥ ଗୋଲ ସ୍କୋର, ୪୪ତମ ମିନିଟରେ ବରଗଡ଼ ଦଳର ୧୦ ନଂ ଜର୍ସି ଆକାଶ ବେକ ପଞ୍ଚମ ଗୋଲ ସ୍କୋର ଏବଂ ୪୫ ତମ ମିନିଟରେ ବରଗଡ଼ ଦଳର ୬ନଂ ଜର୍ସି ଅମର ଲାକ୍ରା ଷଷ୍ଠ ଗୋଲ ସ୍କୋର କରିବା ପରେ ବରଗଡ଼ ଦଳ ୬-୧ ଗୋଲରେ ବୃହତ ବ୍ୟବଧାନରେ ବିଜୟ ଲାଭ କରିଥିଲା । ବାଲଘାଟ ମଧ୍ୟପ୍ରଦେଶ ଦଳ ବରାବର ସ୍ଥିତିକୁ ଆଣିବା ନିମନ୍ତେ ଲଗାତାର ଆକ୍ରମଣ କରିଥିଲେ ସୁଦ୍ଧା କୌରସି ସୁଫଳ ମିଳିନଥିଲା । ଆଜିର ଖେଳରେ ବିଶିଷ୍ଟ ଶିଳ୍ପଦ୍ୟୋଗୀ ସୁବାଷ ଚନ୍ଦ୍ର ପଣ୍ଡା, ସମାଜସେବୀ ପ୍ରତାପ କୁମାର ମହାନ୍ତି, ପଂଚିରିଡା ମାନପୁର ସରପଞ୍ଚ ସୌଭାଗିନୀ ସାହୁ ଅତିଥି ରୂପେ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ୟୁନାଇଟେଡ ସ୍ପୋର୍ଟସ କ୍ଲବ ବରଗଡ଼ ଦଳର ୧୧ ନଂ ଜର୍ସି ଦୀପକ ମୁଣ୍ଡାଙ୍କୁ ଶ୍ରେଷ୍ଠ ଖେଳାଳୀ ଭାବେ ପୁରସ୍କୃତ କରାଯାଇଥିଲା । ଆଜିର ମ୍ୟାଚକୁ ରାଜୁ ମହାନ୍ତି ପରିଚାଳନା କରିଥିବା ବେଳେ ଅଶୋକ କଅଁର, ସଚ୍ଚିକାନ୍ତ ଦାସିଆ, ଜ୍ୟୋତି ରଞ୍ଜନ ସ୍ୱାଇଁ ଲାଇନରେ ସହାୟତା କରିଥିଲେ ।






