ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଶରଣକୁଳ ଥାନାରେ ନୂଆ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ନୂଆ ଥାନା ଅଧିକାରୀଙ୍କୁ ସ୍ୱାଗତ କରିବା ପାଇଁ କିଛି ଜୁଆ ମାଫିଆ ଗତକାଲି ଏକ ସ୍ୱାଗତ ଭୋଜିର ଆୟୋଜନ କରିଥିବା ସ୍ଥାନୀୟ ଲୋକଙ୍କଠାରୁ ସୂଚନା ମିଳିଛି । ସ୍ଥାନୀୟ ଜୈନିକ ଜୁଆ ମାଫିଆ ଗତକାଲି ଥାନା ଭିତରକୁ ଭୋଜି ସାମଗ୍ରୀ କିଣି ଆଣୁଥିବାରୁ ଭିଡିଓ ଭାଇରାଲ ହୋଇଛି । ଏକ ଖଇରିଆ ରଙ୍ଗର ସ୍କୁଟିରେ ମାଫିଆ ଜଣଙ୍କ ଥାନାକୁ ଆସିଥିବା ଏବଂ ସ୍କୁଟି ଧରି ବାହାରକୁ ଯାଇଥିବା ଭାଇରାଲ ଭିଡିଓରୁ ଦେଖିବାକୁ ମିଳିଛି । ସୂଚନାନୁସାରେ, ଶ୍ରୀଯୁକ୍ତ ପଟ୍ଟାୟତ ବିଗତ ଦିନରେ ବାଣିଗୋଚ୍ଛା ଥାନାରେ ଥିବା ବେଳେ ଏକ କୋଟରା ପାଳନ କରିବାକୁ ନେଇ ପ୍ରଥମେ ବିବାଦ ଘେରାକୁ ଆସିଥିଲେ । ପରେ କମିଶନରେଟ ପୁଲିସ ଏଏସଆଇଙ୍କୁ ଲକଡାଉନ ସମୟରେ ମାଡ଼ ମାରିବା ଏବଂ ଗଞ୍ଜେଇ ଗାଡ଼ି ଉଭାନ କରାଇବାରେ ତାଙ୍କର ହାତଥିବା ନେଇ ଚର୍ଚ୍ଚା ହୋଇଥିଲା । ଏଏସଆଇଙ୍କୁ ମାଡ଼ ମାରିବା ଘଟଣାରେ ତାଙ୍କ ନାମରେ ମାମଲା ରୁଜୁ ହେବା ପରେ ତତ୍କାଳିନ ଏସପି ତାଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କରାଇଥିଲେ । ଏବେ ପୁଣିଥରେ ତାଙ୍କୁ ଥାନା ଦାୟିତ୍ୱ ଦିଆଯାଇଥିବା ବେଳେ ସ୍ୱାଗତ କରିବା ପାଇଁ ଜୁଆ ମାଫିଆଙ୍କ ଦ୍ୱାରା ଭୋଜି ଆୟୋଜନ କରି ତାଙ୍କୁ ବିବାଦକୁ ଅଣା ଯାଇଛି । ଏହି ଭୋଜି ଥାନାର କିଛି ତଳିଆ କର୍ମଚାରୀଙ୍କ ମାର୍ଫତ ଗିରିରେ ଆୟୋଜନ ହୋଇଥିବା ଆଲୋଚନା ହେଉଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଥାନାକୁ ସ୍ୱଚ୍ଛ ଓ ନିର୍ମଳ ରଖିବାକୁ ଉକ୍ତ ତଳିଆ କର୍ମଚାରୀଙ୍କୁ ନିହାତି ସାମନାକୁ ଆଣି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକତା ରହିଛି । ଫଳରେ ଆଗାମୀ ଦିନରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇ ପୁଲିସ ବିଭାଗ ନିନ୍ଦିତ ହେବାରୁ ରକ୍ଷା ପାଇବ ।





