ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଧାପୁର ପଂଚାୟତ ସରପଂଚ ଶ୍ରୀଧର ଦଳେଇଙ୍କ ବିରୁଦ୍ଧରେ ଅଣାଯାଇଥିବା ଅନସ୍ଥା ପ୍ରସ୍ତାବ କାଟ ଖାଇଥିବା ଜଣାପଡ଼ିଛି । କୋରମ୍ ଅଭାବ କାରଣରୁ ଏହି ଅନାସ୍ଥା କାଟ ଖାଇଥିବା ବେଳେ ସରପଂଚ ନିଜ ପଦବୀରେ ପୂର୍ବଭଳି କାର୍ଯ୍ୟ କରି ପାରିବେ ବୋଲି ସୂଚନା ମିଳିଛି । ସୂଚନାନୁସାରେ, ଜିଲ୍ଲା ଗ୍ରାମ ପଂଚାୟତ ଉପ ବିଭାଗଙ୍କ କାର୍ଯ୍ୟାଳୟ ନଭେମ୍ବର ୧୬ ତାରିଖର ଆଦେଶ ସଂଖ୍ୟା ୭୯୪ ଅନୁଯାୟୀ ଗ୍ରାମପଂଚାୟତ ଆଇନ୍ ୧୯୬୪ର ଧାରା ୨୪(୨)ରେ ଥିବା ବିôଦ ବ୍ୟବସ୍ଥା ଅନୁଯାୟୀ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ କ୍ଷମତପ୍ରାପ୍ତ ହୋଇ ଶରଧାପୁର ଗ୍ରାମପଂଚାୟତ ସରପଂଚ ବିରୁଦ୍ଧରେ ଆସିଥିବା ଅନସ୍ଥା ପ୍ରସ୍ତାବ ନେଇ ଏକ ବୈଠକ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅନୁଯାୟୀ ଓଡ଼ଗାଁ ବ୍ଲକ ଅତିରିକ୍ତ ବିଡିଓ ପରମାନନ୍ଦ ଜେନା ଚଳିତ ମାସ ୬ ତାରିଖରେ ପଂଚାୟତ ସଭା ଗୃହରେ ଏକ ବୈଠକ ପାଇଁ ନିର୍ଦ୍ଦେଶ ଦେଇ ଉପସ୍ଥିତ ରହିଥିଲେ । ଏହି ପଂଚାୟତରେ ସରପଂଚଙ୍କୁ ମିଶାଇ ମୋଟ ୧୫ ଜଣ ସଦସ୍ୟ ଥିବା ବେଳେ ବୈଠକ ନିର୍ଦ୍ଧାରିତ ସମୟ ମଧ୍ୟରେ କେବଳ ଦୁଇଜଣ ସଭ୍ୟ ଉପସ୍ଥିତ ରହିଥିଲେ । ଫଳରେ କୋରମ୍ ଅଭାବ୍ କାରଣରୁ ବୈଠକକୁ ବାତିଲ କରାଯାଇଥିବା ସହ ଅନସ୍ଥା ପ୍ରସ୍ତାବ କାଟ ଖାଇଥିବା ଜଣାପଡ଼ିଛି ।






