ନୟାଗଡ଼, (ବାଘୁଆବାର୍ତ୍ତା): କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ନୟାଗଡ ଜିଲ୍ଲା ପ୍ରତିନିଧି ଭାବେ କିଶୋରପ୍ରସାଦ ସମିତି ସଭ୍ୟ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ସଦାଶିବ ମିଶ୍ରଙ୍କୁ ମନୋନୟନ କରାଯାଇଛି । ସାଂସଦ ଡ. ସାମନ୍ତ ଏ ନେଇ ନୟାଗଡ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି । ଏହାର ଏକକିତା ନକଲ ସଦାଶିବ ମିଶ୍ରଙ୍କୁ ପ୍ରେରଣ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଧେଷ ପର୍ଯ୍ୟନ୍ତ ସଦାଶିବ ମିଶ୍ର ସାଂସଦଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରିବେ ବୋଲି ଏଥିରେ ଉଲ୍ଲେଖ କରାଯାଇଛି । ସାଂସଦଙ୍କ ଅନୁପସ୍ଥିତିରେ ଶ୍ରୀମିଶ୍ର ଜିଲ୍ଲାର ସମସ୍ତ ସଭାରେ ସାଂସଦଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରିବେ । ସୂଚନାଯୋଗ୍ୟ ଯେ ଶ୍ରୀ ମିଶ୍ରଙ୍କ ଘର ଗଣିଆ ବ୍ଲକ କିଶୋରପ୍ରସାଦ ଗ୍ରାମରେ । ବିଜୁ ଜନତା ଦଳ ତରଫରୁ ମୟୁରଭଞ୍ଜ ଜିଲ୍ଲାର ସହ ପର୍ଯ୍ୟବେକ୍ଷକ ରୂପେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି । ବିଜୁ ଜନତା ଦଳର ଜଣେ ସକ୍ରିୟ ନେତା ଭାବେ ଶ୍ରୀ ମିଶ୍ର ଜିଲ୍ଲା ସ୍ତରରେ ନିଜର ଆଧିପତ୍ୟ ଜାହିର କରିଥିବା ବେଳେ ସରପଞ୍ଚରୁ ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇ କାର୍ଯ୍ୟ କରିଥିବା ବେଳେ ଏବେ କିଶୋରପ୍ରସାଦ ପଞ୍ଚାୟତରେ ସମିତିସଭ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ସାଂସଦଙ୍କ ପ୍ରତିନିଧି ହେବା ପରେ ଗଣିଆ ବ୍ଲକର ସୁଖ ଦୁଃଖ ସମ୍ପର୍କରେ ଜିଲ୍ଲାସ୍ତରରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିପାରିବେ ବୋଲି ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି । ବିଜୁ ଜନତା ଦଳର ବ୍ଲକ ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା,ବ୍ଲକ ଅଧ୍ୟକ୍ଷ ଶେଷଦେବ ସ୍ୱାଇଁ ପ୍ରମୁଖ ଶ୍ରୀମିଶ୍ରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।





