ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ରାଜ୍ୟସଭା ସାଂସଦ ଭାବେ ଶପଥ ନେବେ ଜେଲ୍ରେ ବନ୍ଦୀ ଥିବା ଆପ୍ ସାଂସଦ ସଞ୍ଜୟ ସିଂହ। ଦିଲ୍ଲୀର ରାଉଜ ରାଉଜ୍ ଏଭିନ୍ୟୁ କୋର୍ଟ ଶନିବାର ସଞ୍ଜୟଙ୍କୁ ସାଂସଦ ଭାବେ ଶପଥ ନେବାକୁ ଅନୁମତି ଦେଇଛନ୍ତି। ଫେବ୍ରୁଆରୀ ୫ ତାରିଖରେ ଶପଥ ପାଠ ଉତ୍ସବ ଆୟୋଜିତ ହେବ। ଜେଲ୍ କର୍ତ୍ତୃପକ୍ଷ ସଞ୍ଜୟ ସିଂହଙ୍କୁ ସକାଳ ୧୦ଟା ସୁଦ୍ଧା ସଂସଦରେ ହାଜର କରାଇବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟସଭା ସାଂସଦ ଭାବେ ଶପଥ ନେବା ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିବାକୁ ଗୁରୁବାର କୋର୍ଟରେ ଆବେଦନ କରିଥିଲେ ସଞ୍ଜୟ ସିଂହ। ହେଲେ କୋର୍ଟ ବେଲ୍ ଦେବା ବଦଳରେ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଥାଉକି ଜାନୁଆରୀ ମାସରେ ଆମ ଆଦ୍ମୀ ପାର୍ଟି ସଞ୍ଜୟ ସିଂହଙ୍କୁ ଦ୍ୱିତୀୟ ଥର ପାଇଁ ରାଜ୍ୟସଭା ସାଂସଦ ଭାବେ ମନୋନୀତ କରିଥିଲା। ଜାନୁଆରୀ ୨୭ ତାରିଖରେ ତାଙ୍କର ପ୍ରଥମ ପାଳିର ଅବଧି ପୂରା ହୋଇଥିବାରୁ କୋର୍ଟ ମଧ୍ୟ ତାଙ୍କୁ ଦ୍ୱିତୀୟ ପାଳି ପାଇଁ ନାମାଙ୍କନ ଡକ୍ୟୁମେଣ୍ଟରେ ନିଜର ସ୍ୱୀକୃତି ଦେବାକୁ ଅନୁମତି ଦେଇଥିଲେ। ଜାନୁଆରୀ ୧୯ ତାରିଖରେ ରାଜ୍ୟସଭା ନିର୍ବାଚନ ହୋଇଥିଲା। କହି ରଖୁଛୁ ଯେ ସଞ୍ଜୟ ସିଂହଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗିରଫ କରିଛି। ସଞ୍ଜୟ ଏନେଇ ବାରମ୍ବାର ଜାମିନ ଆବେଦନ କରିଥିଲେ ବୋଲି କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି।






