ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ପାଦକ ଅଜୟ କୁମାର ପଟ୍ଟନାୟକଙ୍କୁ ପରିଚାଳନା ପରିଷଦ ନିଷ୍ପତ୍ତି କ୍ରମେ ବ୍ୟାଙ୍କ ସଭାପତି ନିଲମ୍ବନ କରିଛନ୍ତି। କର୍ତ୍ତବ୍ୟରେ ଅବହେଳା, କର୍ତ୍ତବ୍ୟରେ ଅବହେଳା, ବିନା ଛୁଟି ଦରଖାସ୍ତରେ ଛୁଟିରେ ରହିବା, ଆର୍ଥିକ ଅନୀୟମିତତା, ପରିଚାଳନା କମିଟିକୁ ଅବମାନନା କରିବା କାରଣରୁ ଏଭଳି କରାଯାଇଥିବା ଜଣାପଡ଼ିଛି। ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ପାଦକ ଅଜୟ କୁମାର ପଟ୍ଟନାୟକ ଓଡ଼ିଶା ସମବାୟ ବ୍ୟାଙ୍କ କର୍ମଚାରୀ। ତାଙ୍କୁ ନୟାଗଡ଼ ଜିଲ୍ଲା ଦାୟିତ୍ଵ ପ୍ରଦାନ କରାଯାଇଥିଲା। ଏଠାରେ ସେ ଏଭଳି କାର୍ଯ୍ୟ କରିବା କାରଣରୁ ଗତ ସପ୍ତାହରେ ପରିଚାଳନା ପରିଷଦ ସମ୍ପାଦକଙ୍କୁ ବ୍ୟାଙ୍କ କାର୍ଯ୍ୟରୁ ନିବୃତ୍ତ କରିଥିଲେ। ଯାହାକୁ ନେଇ ପ୍ରାୟୋଜିତ ଭାବେ ନିୟମ ବର୍ହିଭୁତ ସମବାୟ ବିଭାଗ ରେଜିଷ୍ଟ୍ରାର ସ୍ଥଗିତା ଦେଶ ପ୍ରଦାନ କରିଥିଲେ। କେଶପାନିଆ ପ୍ୟାସ୍କ ସଭାପତିଙ୍କ ଅଭିଯୋଗ ଆଧାରରେ ଏହି ଷ୍ଟେ ଅଣାଯାଇଥିଲା। ଯାହାକୁ ନେଇ ସୋମବାର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ପରିସରରେ ପରିଚାଳନା ପରିଷଦ ବୈଠକ ଆହ୍ଵାନ କରାଯାଇଥିଲା। ଏହି ବୈଠକରେ ସମ୍ପାଦକ ଅନୁପସ୍ଥିତ ରହିବା ସହ ପ୍ରୋସିଡିଂ ବହିକୁ ମଧ୍ୟ ଗାଏବ କରିଥିବା ଦେଖା ଯାଇଥିଲା। ବ୍ୟାଙ୍କରେ ବ୍ୟାପକ ଆର୍ଥିକ ଅନିୟମିତତା ସହ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଅବମାନନାକୁ ନେଇ ପରିଷଦ ତାଙ୍କୁ ନିଲମ୍ବନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ। ବ୍ୟାଙ୍କ ସଭାପତି ରବୀନ୍ଦ୍ର ନାଥ ସାହୁ ତାଙ୍କୁ ନିଲମ୍ବନ କରିଥିବା ବେଳେ ଆଜି ପରିଷଦ ସଦସ୍ୟ ଓ ବ୍ୟାଙ୍କ ଗ୍ରାହକ ବ୍ୟାଙ୍କ ଭିତରେ ତାଙ୍କୁ ପଶିବାକୁ ଦେଇନଥିବା ଦେଖା ଯାଇଛି। ଏନେଇ ନିଲମ୍ବିତ ସମ୍ପାଦକଙ୍କ ମତାମତ ମିଳିନଥିବା ବେଳେ ସଭାପତି ଶ୍ରୀଯୁକ୍ତ ସାହୁ ଓ ସଦସ୍ୟ ବ୍ୟାଙ୍କରେ ସମ୍ପାଦକ କରିଥିବା ସମ୍ପର୍କରେ କମ ଦିନ ମଧ୍ୟରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ପ୍ରଦାନ କରାଯିବ ବୋଲି କହିଛନ୍ତି।





