ଭୂବନେଶ୍ୱର, (ବାଘୁଆବାର୍ତ୍ତା ବ୍ୟୁରୋ) : କୃଷି କାର୍ଯ୍ୟକୁ ଆଗେଇ ନେବା ସହ ଖରିଫ ଋଣ ଯୋଗାଣକୁ ତ୍ୱରାନ୍ୱିତ କରିବା ପାଇଁ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ କହିଛନ୍ତି । କୋଭିଡ-୧୯କୁ ଦୃଷ୍ଟିରେ ରଖି ପ୍ୟାକସ୍ ଓ ଲ୍ୟାମ୍ପସ୍ଗୁଡ଼ିକରେ ସାମାଜିକ ଦୂରତ୍ୱ ଓ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକାକୁ କଡାକଡି ଭାବେ ପାଳନ କରିବା ପାଇଁ ମନ୍ତ୍ରୀ କହିଛନ୍ତି । ଚଳିତ ଖରିଫ ଋତୁରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମବାୟ କ୍ଷେତ୍ର ମାଧ୍ୟମରେ ୭୫୦୦ କୋଟି ଟଙ୍କା ଫସଲ ଋଣ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଚାଷୀମାନଙ୍କୁ ଠିକଣା ସମୟରେ ଋଣ ଯୋଗାଇଦେବା ଓ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ରାଜ୍ୟରେ ମୋଟ ଫସଲ ଋଣ ପ୍ରଦାନ ୬୫ ରୁ ୬୮ ପ୍ରତିଶତ ସମବାୟ ସଂସ୍ଥା ସମ୍ପାଦିତ ହୋଇଥାଏ । ଗତ ଖରିଫ ୨୦୧୯ ଋତୁରେ ସମବାୟ ସଂସ୍ଥାଗୁଡ଼ିକ ଧାର୍ଯ୍ୟ ଲକ୍ଷ୍ୟ ୭୫୦୦ କୋଟି ଟଙ୍କା ମଧ୍ୟରୁ ରାଜ୍ୟରେ ୧୭,୯୧,୮୯୮ ଜଣ ଚାଷୀଙ୍କୁ ମୋଟ ୭୩୩୦.୫୬ କୋଟି ଟଙ୍କା ଫସଲ ଋଣ ଯୋଗାଇ ଦେଇଥିଲେ । ତେଣୁ ଚଳିତ ଖରିଫରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ସହ ପ୍ରାଥମିକ କୃଷି ସମବାୟ ସମିତିର ଚାଷୀ ସଭ୍ୟମାନଙ୍କୁ ଫସଲ ଋଣ ଯୋଗାଇଦେବା ନିମନ୍ତେ ଫଳପ୍ରଦ କାର୍ଯ୍ୟ ଖସଡା ପ୍ରସ୍ତୁତ କରିବା ପାଇଁ କୁହାଯାଇଛି । ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ନେଇ ଧାର୍ଯ୍ୟ ସମୟ ମଧ୍ୟରେ ଋଣ ପଇଠ କରୁଥିବା ଚାଷୀମାନଙ୍କୁ ବିନା ସୁଧରେ ଋଣ ଯୋଗାଇ ଦେବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ସେହିପରି ୫୦,୦୦୦ ଟଙ୍କାରୁ ଅଧିକ ଏବଂ ୩ ଲକ୍ଷ ଟଙ୍କା ମଧ୍ୟରେ ଋଣ ନେଇ ସମୟ ସୀମା ମଧ୍ୟରେ ଋଣ ପଇଠ କଲେ ୨ ପ୍ରତିଶତ ସୁଧ ଦେବାକୁ
ପଡିବ ।





