ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ଇଦ୍ରେ ନିଜ ପ୍ରଶଂସକଙ୍କୁ ଭେଟି ଦେଇଥିଲେ ବଲିଉଡ ଭାଇଜାନ ସଲମାନ ଖାନ । ରିଲିଜ ହୋଇଥିଲା ତାଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ରାଧେ: ଦ ମୋଷ୍ଟ ୱାଣ୍ଟେଡ ଭାଇ’ । ଓଟିଟି ପ୍ଲାଟଫର୍ମରେ ଏହି ଫିଲ୍ମଟି ରିଲିଜ ହୋଇଥିଲା । ତେବେ ଫିଲ୍ମ ରିଲିଜ ପୂର୍ବର ଏହାର ପାଇରେସି ନକରିବା ପାଇଁ ସଲମାନ ଅପିଲ କରିଥିଲେ। ତେବେ ଫିଲ୍ମଟି ରିଲିଜ ହେବାର କିଛି ଘଣ୍ଟା ପରେ ଅନେକ ପ୍ଲାଟଫର୍ମ ମାଧ୍ୟମରେ ଲିକ୍ ହୋଇଥିଲା । ପାଇରେଟେଡ କପିକୁ ହ୍ୱାଟସ ଆପ୍ ଜରିଆରେ ବିକ୍ରି କରାଯାଉଥିଲା । ଏହାକୁ ନେଇ ଓଟିଟି ପ୍ଲାଟଫର୍ମ ଜି’ ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲା । ଏହାର ଶୁଣାଣି କରି ଆଜି ଦିଲ୍ଲୀ ହାଇକୋର୍ଟ ହ୍ୱାଟସଆପ୍କୁ କଡା ତାଗିଦ କରିଛନ୍ତି । ହ୍ୱାଟସଆପ ୟୁଜର୍ସଙ୍କୁ ଏହି ଫିଲ୍ମର କପି ସେଆର କରିବା ବନ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ପାଇରେଟେଡ କପି ସେଆର କରୁଥିବା ଲୋକଙ୍କ ନମ୍ପର ରଦ୍ଦ କରିବା ପାଇଁ ହ୍ୱାଟସପକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କେବଳ ସେତିକି ନୁହେଁ ଦେଶର ପ୍ରମୁଖ ଟେଲିକମ ଅପରେଟର ଏୟାରଟେଲ, ଜିଓ ଏବଂ ଭୋଡାଫୋନକୁ ମଧ୍ୟ ଅପରାଧିକ ଗ୍ରାହକଙ୍କ ସୂଚନା ଦେବା ପାଇଁ କୋର୍ଟ କହିଛନ୍ତି । ସେପଟେ ସଲମାନ ଖାନ ମଧ୍ୟ ରିଲିଜ ପରେ ଫିଲ୍ମର ବେଆଇ ଷ୍ଟ୍ରିମିଂକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାକୁ ସେ ଏକ ଗୁରୁତର ଅପରାଧ ବୋଲି କହିଛନ୍ତି । ସୂଚନାମୁତାବକ, ସଲମାନ ଖାନ ଏବଂ ଦିଶା ପାଟନୀଙ୍କ ଅଭିନୀତ ଫିଲ୍ମ ‘ରାଧେ’ ୧୩ ମେରେ ରିଲିଜ ହୋଇଥିଲା । ଜି-୫ରେ ରିଲିଜ ହୋଇଥିବା ଏହି ଫିଲ୍ମକୁ ପେ-ଫର-ଭ୍ୟୁ ଆଧାରରେ ରିଲିଜ କରାଯାଇଥିଲା ।






