ରାଉରକେଲା, (ବାଘୁଆବାର୍ତ୍ତା): ହକି ବିଶ୍ୱ କପ୍ ପାଇଁ ସଜେଇ ହେଉଛି ରାଉରକେଲା ସହର । ସହରର ଏହି ସୌନ୍ଦର୍ୟ୍ୟୀକରଣରେ ନିଜର ଦକ୍ଷତା ଦେଖାଇଛନ୍ତି ସରକାରୀ ଆଇଟିଆଇର ଛାତ୍ରଛାତ୍ରୀ । ମହାନଗର ନିଗମ କାର୍ୟ୍ୟାଳୟ ସମ୍ମୁଖ ଏବଂ ହନୁମାନ ବାଟିକାରୁ ଡିଏଭି ଛକ ପର୍ୟ୍ୟନ୍ତ ଲମ୍ବିଥିବା ରିଂ ରୋଡ ଡିଭାଇଡରରେ ବିଭିନ୍ନ ପ୍ରକଳ୍ପ ପ୍ରସ୍ତୁତ କରି ସ୍ଥାପନ କରିଛନ୍ତି । ମହାନଗର ନିଗମ କାର୍ୟ୍ୟାଳୟ ସମ୍ମୁଖରେ ଲୁହାରେ ନିର୍ମିତ ଫୁଲ ବଗିଚା, ରିଂ ରୋଡରେ ସାଇକେଲ ଚାଳନା ଏବଂ କେୟାରିଂ ମଦର ଆଦି ପ୍ରକଳ୍ପ ସ୍ଥାପନ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସରକାରୀ ଆଇଟିଆଇରେ ଶେଷ ବର୍ଷରେ ପଢୁଥିବା ଫିଟର ଏବଂ ୱେଲଡର ଟ୍ରେଡ୍ର ୧୫ରୁ ୨୦ଜଣ ଛାତ୍ରଛାତ୍ରୀ ଆଇଟିଆଇ ପରିସରରେ ପଡିଥିବା ଅବ୍ୟବହୃତ ସାମଗ୍ରୀକୁ ଯୋଗାଡ କରି ଏହି ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି । ଏହି କାର୍ୟ୍ୟରେ ସରକାରୀ ଆଇଟିଆଇର ଅଧ୍ୟକ୍ଷ ଇଂ. ଧନଞ୍ଜୟ ଖୁରା, ରବୀନ୍ଦ୍ର କୁମାର ମଲ୍ଲିକ, ଉତ୍ତମ କୁମାର ପଟ୍ଟନାୟକ, ଶ୍ରୀନିବାସ ସାହୁ, ରମେଶ ବେଶ୍ରା ପ୍ରମୁଖ ସହଯୋଗ କରିଛନ୍ତି । ଆଇଟିଆଇ ଛାତ୍ରଛାତ୍ରୀଙ୍କ ଏପରି ଦକ୍ଷତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।






