ଓଡ଼ଗାଁ, (ବାଘୁଆବାର୍ତ୍ତା): ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଅବସର ଶିକ୍ଷକ କୈଳାସ ଚନ୍ଦ୍ର ପାଣିଗ୍ରାହୀଙ୍କ ବାହାଡ଼ାଝୋଲା ମାଣୀକପାଟଣା ଅନ୍ତର୍ଗତ ବଡ଼ସାହି ବାସଗୃହରେ ଆଜି ଅପରାହ୍ଣରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ବୟସ ହୋଇଥିଲା । ତାଙ୍କର ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ସେ ଘରେ ରହି ଚିକିତ୍ସିତ ହେଉଥିଲେ । ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବହୁ ମାନ୍ୟଗନ୍ୟ ବ୍ୟକ୍ତି ବାସଗୃହରେ ପହଁଚି ତାଙ୍କର ଶେଷ ଦର୍ଶନ କରିଥିଲେ । ଛାତ୍ରବତ୍ସଳ, ସ୍ନେହି, କର୍ତବ୍ୟନିଷ୍ଠ ଓ ଜଣେ ସୁଲେଖକ ହିସାବରେ କୈଳାଶ ସାରେ ଥିଲେ ଜଣାଶୁଣା । ଏକ ମଧ୍ୟବିତ ପରିବାରରେ ଜନ୍ମଗ୍ରହଣ କରି ଶିକ୍ଷାଦାନକୁ ଜୀବନର ବ୍ରତ ଭାବରେ ଗ୍ରହଣ କରିନେଇଥିଲେ । ନୟାଗଡ଼ ଇତିହାସ, ପିଲାଙ୍କରତ୍ନ, ଗିରିରାଜ ରତ୍ନଗିରି ଗୁମ୍ଫା, ଏହି ମୋ ଭାରତ ପ୍ରଭୃତି କେତେଖଣ୍ଡ ଉପାଦେୟ ପୁସ୍ତକ ରଚନା କରି ସେ ବେସ୍ ପରିଚିତ ଲାଭ କରିଥିଲେ । ବଡ଼ପୁଅ ପବିତ୍ର ମୁଖାଗ୍ନି ପ୍ରଦାନ କରିଥିବା ବେଳେ ଏକ ଶୋକାକୁଳ ପରିବେଶରେ ଗାଁ ମଶାଣିରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।






