ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ପକ୍ସୋ ଅଦାଲତ ବିଚାରପତି ନିରଞ୍ଜନ ପଣ୍ଡା ଆଜି ଏକ ନାବାଳିକା ଅପହରଣ ଓ ଦୁଷ୍କର୍ମ ଘଟଣାର ବିଚାର କରି ଅଭିଯୁକ୍ତକୁ ସର୍ବାଧିକ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ୨୦୨୦ ମସିହା ଅକ୍ଟୋମ୍ବର ୧୨ ତାରିଖରେ ଜଣେ ନାବାଳିକାକୁ ବିବାହର ମିଥ୍ୟା ପ୍ରତିଶୃତି ଦେଇ ଅପହରଣ କରାଯାଇଥିବା ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ପୁଲିସ ଘଟଣାର ତଦନ୍ତ କରି ନାବାଳିକାକୁ ଉଦ୍ଧାର କରିଥିଲା । ଅଭିଯୁକ୍ତ ନାବାଳିକାକୁ ବାରମ୍ବାର ଶାରିରୀକ ଦୁଷ୍କର୍ମ କରିଥିବା ଜଣାପଡ଼ିଥିଲା । ଏହି ଘଟଣାର ବିଚାର ପକସୋ ଅଦାଲତରେ ଚାଲିଥିଲା । ୧୮ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଇଟାମାଟି ଥାନା ଗମ୍ଭାରିଡିହି ଗ୍ରାମର ଅଭିଯୁକ୍ତ ଚନ୍ଦନ କୁମାର ମଲ୍ଲିକକୁ ୩୬୩ ଦଫାରେ ୩ ବର୍ଷ କାରାଦଣ୍ଡାଦେଶ ସହ ୫ ହଜାର ଜରିମାନା, ୩୬୬ ଦଫାରେ ୫ ବର୍ଷ କାରାଦଣ୍ଡାଦେଶ ସହ ୧୦ ହଜାର ଜରିମାନା, ୬ ପକ୍ସୋ ଆକ୍ଟ ଅନୁଯାୟୀ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧୫ ହଜାର ଜରିମାନା ଆଦେଶ କରିଛନ୍ତି । ସର୍ବାଧିକ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଭୋଗ ହେବ ବୋଲି ସୂଚନା ମିଳିଛି । ଜରିମାନା ଅନାଦେୟ ଅଧିକ ୭ ମାସ ଲେଖାଏଁ ଜେଲଦଣ୍ଡ ଭୋଗ କରିବାକୁ ନିର୍ଦ୍ଦେଶ ରହିଛି । ପୀଡ଼ିତାକୁ ଆଇନସେବା ପ୍ରାଧିକରଣଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ରହିଥିବା ସୂଚନା ମିଳିଛି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ ଦାଶରଥି ସାହୁ ପରିଚାଳନା କରୁଥିଲେ ।





