ଭୁବନେଶ୍ୱର (ବ୍ୟୁରୋ): ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗତ ୧୪ ତାରିଖ ଇମେଲ୍ରେ ଟିକାକରଣ ପରିଚୟ ପତ୍ର ତାଲିକାରେ ରାସନ୍ କାର୍ଡକୁ ସାମିଲ କରିବାକୁ କୁହାଯାଇଛି । କୋ-ୱିନ୍ ୨.୦ ଗାଇଡେନ୍ସ୍ ନୋଟ୍ରେ ୭ ପ୍ରକାର ପରିଚୟ ପତ୍ର ବାବଦରେ ଉଲ୍ଲେଖ କରାଯାଇଛି । ତେଣୁ ରାଜ୍ୟ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଦିଆଯାଉଥିବା ରାସନ୍ କାର୍ଡକୁ ଟିକା ନେବା ପାଇଁ ପରିଚୟ ପତ୍ର ଭାବେ ବ୍ୟବହାର କରାଯାଇପାରିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ, ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର ଓ ସମ୍ବଲପୁରର ପୌର କମିଶନର, ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖାଯାଇଛି । ବିଭାଗୀୟ ଅତିରିକ୍ତ ସଚିବ ପି.କେ ମହାପାତ୍ର ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରାସନ୍ କାର୍ଡକୁ ଟିକାକରଣର ପରିଚୟ ପତ୍ର ଭାବେ ସାମିଲ କରିବା ନେଇ ସମସ୍ତ ଟିକାକରଣ ପ୍ରୋଗ୍ରାମ୍ ଅଫିସର୍, ଟିକାକରଣ ପ୍ରବନ୍ଧକ ବା ମ୍ୟାନେଜର୍ଙ୍କୁ ସୂଚିତ କରିବାକୁ ପଡିବ । ସେହିପରି ପାଠ ପଢ଼ିବା ପାଇଁ, ଚାକିରି ପାଇଁ ତଥା ଟୋକିଓ ଅଲମ୍ପିକରେ ଭାଗ ନେବାକୁ ଯାଉଥିବା କ୍ରୀଡ଼ାବିତ୍ଙ୍କ ପାଇଁ ଟିକାକରଣରେ କୋହଳ କରାଯାଇଛି । ପ୍ରଥମ ଡୋଜ୍ ନେବାର ୨୮ରୁ ୮୪ ଦିନ ମଧ୍ୟରେ କୋଭିସିଲ୍ଡ୍ର ଦ୍ୱିତୀୟ ଡୋଜ୍ ଟିକା ନେଇପାରିବେ । ତେବେ ସେଥିପାଇଁ ସେମାନଙ୍କୁ ଉପଯୁକ୍ତ ପ୍ରମାଣପତ୍ର ଦେଖାଇବାକୁ ପଡିବ । ଏ ବାବଦରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । କେବଳ ଅନୁମତିପ୍ରାପ୍ତ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଏହି ଟିକା ଦେଇପାରିବେ । ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର ଓ ସମ୍ବଲପୁରର ପୌର କମିଶନର, ସମସ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀମାନେ ଲୋକଙ୍କ ଜାଣିବା ପାଇଁ ୱେବସାଇଟ୍ରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । ତେବେ ଟିକା ଦେବା ପୂର୍ବରୁ ବିଦେଶ ଯାତ୍ରାର ବାସ୍ତବ ସତ୍ୟତା ଯାଞ୍ଚ କରିବେ । ନାମ ଲେଖା ସମ୍ପର୍କିତ ଅଫର୍ ଲେଟର୍, ପୂର୍ବରୁ ପଢ଼ୁଥିଲେ ତାହାର ପ୍ରମାଣ, ନିଯୁକ୍ତି କ୍ଷେତ୍ରରେ ସାକ୍ଷାତକାରର କଲ୍ ଲେଟର ଓ ଟୋକିଓ ଅଲମ୍ପିକରେ ଭାଗ ନେବା ପାଇଁ ମନୋନୀତ ହୋଇଥିବା ପ୍ରମାଣ ଦେଖାଇବାକୁ ପଡିବ । ଟିକା ନେବା ପୂର୍ବରୁ କୋ-ୱିନରେ ଏ ସମ୍ପର୍କିତ କାଗଜପତ୍ର ଓ ପ୍ରମାଣପତ୍ର ଦାଖଲ କରିବା ବାଧ୍ୟତାମୂଳକ । ଏହି ମାମଲାରେ ପାସପୋର୍ଟକୁ ଗୁରୁତ୍ୱ ଦେବାକୁ ବିଭାଗୀୟ ଅତିରିକ୍ତ ସଚିବ ପରାମର୍ଶ ଦେଇଛନ୍ତି । ତେବେ ଅଗଷ୍ଟ ୩୧ ମଧ୍ୟରେ ବିଦେଶ ଯାତ୍ରା କରିବାକୁ ଚାହୁଁଥିବା ଉପରୋକ୍ତ ବର୍ଗର ବ୍ୟକ୍ତିମାନେ ଏହି ସୁବିଧାର ଲାଭ ନେଇପାରିବେ ବୋଲି ବିଭାଗୀୟ ଚିଠିରେ ଉଲ୍ଲେଖ କରାଯିବା ସହିତ ଏକ ଫର୍ମାଟ୍ ମଧ୍ୟ ଜାରି କରାଯାଇଛି ।





